Éphésiens 6

Enfants et parents

1ହେ ସନ୍ତାନମାନେ, ପ୍ରଭୁଙ୍କ ସକାଶେ ଆପଣା ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ; 2କାରଣ ତାହା ଯଥାର୍ଥ। “ଆପଣା ପିତାମାତାଙ୍କୁ ସମାଦର କର, (ଏହା ପ୍ରତିଜ୍ଞାଯୁକ୍ତ ଗୋଟିଏ ପ୍ରଧାନ ଆଜ୍ଞା),” 3ଯେପରି ତୁମ୍ଭର ମଙ୍ଗଳ ହେବ, ଆଉ ତୁମ୍ଭେ ପୃଥିବୀରେ ଦୀର୍ଘାୟୁ ହେବ। 4ପୁଣି, ହେ ପିତାମାନେ, ଆପଣା ଆପଣା ପିଲାମାନଙ୍କୁ ବିରକ୍ତ କର ନାହିଁ, ମାତ୍ର ସେମାନଙ୍କୁ ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା ପ୍ରତିପାଳନ କର।

Serviteurs et maîtres

5ହେ ଦାସମାନେ, ତୁମ୍ଭେମାନେ ଯେପରି ଖ୍ରୀଷ୍ଟଙ୍କର ଆଜ୍ଞାବହ ଅଟ, ସେହିପରି ଭୟ ଓ କମ୍ପ ସହ ହୃଦୟର ସରଳତାରେ ତୁମ୍ଭମାନଙ୍କ ଜାଗତିକ କର୍ତ୍ତାମାନଙ୍କର ଆଜ୍ଞାବହ ହୁଅ; 6ମନୁଷ୍ୟକୁ ସନ୍ତୁଷ୍ଟ କଲା ପରି ଦୃଷ୍ଟି ଆଗରେ ତାହା କର ନାହିଁ, କିନ୍ତୁ ଖ୍ରୀଷ୍ଟଙ୍କ ଦାସ ପରି ଅନ୍ତର ସହ ଈଶ୍ବରଙ୍କ ଇଚ୍ଛା ସାଧନ କର। 7ସ୍ୱାଧୀନ କି ପରାଧୀନ, ଯେ କେହି ସତ୍କର୍ମ କରେ, ସେ ଯେ ପ୍ରଭୁଙ୍କଠାରୁ ସେଥିର ପୁରସ୍କାର ପାଇବ, 8ଏହା ଜାଣି ମନୁଷ୍ୟର ସେବା କଲା ପରି ନୁହେଁ, ମାତ୍ର ପ୍ରଭୁଙ୍କ ସେବା କଲା ପରି ସ୍ୱଚ୍ଛନ୍ଦରେ ସେବା କର। 9ଆଉ ହେ କର୍ତ୍ତାମାନେ, ସେହିପରି ଭାବେ ସେମାନଙ୍କ ପ୍ରତି ବ୍ୟବହାର କର, ତର୍ଜନଗର୍ଜନ କରିବାରୁ ନିବୃତ୍ତ ହୁଅ; ସମସ୍ତଙ୍କର ପ୍ରଭୁ ଯେ ସ୍ୱର୍ଗରେ ଅଛନ୍ତି; ପୁଣି ତାହାଙ୍କ ନିକଟରେ କୌଣସି ମୁଖାପେକ୍ଷା ନାହିଁ, ଏହା ଜାଣ।

Toute l'armure de Dieu

10ଶେଷ କଥା ଏହି, ପ୍ରଭୁଙ୍କଠାରୁ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ। 11ତୁମ୍ଭେମାନେ ଯେପରି ଶୟତାନର ସମସ୍ତ ଚାତୁରି ବିରୁଦ୍ଧରେ ଦଣ୍ଡାୟମାନ ହୋଇପାର, ଏଥିନିମନ୍ତେ ଈଶ୍ବରଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କର। 12କାରଣ ଆମ୍ଭମାନଙ୍କ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ଓ କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତ୍ପତିମାନଙ୍କ ବିରୁଦ୍ଧରେ ପୁଣି, ଆକାଶମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ; 13ଏଣୁ ତୁମ୍ଭେମାନେ ଯେପରି ଦୁର୍ଦ୍ଦିନରେ ପ୍ରତିରୋଧ କରି ସର୍ବଜୟୀ ହୋଇ ଅଟଳ ରହିପାର, ଏଥିନିମନ୍ତେ ଈଶ୍ବରଦତ୍ତ ସମସ୍ତ ସଜ୍ଜା ଗ୍ରହଣ କର। 14ଅତଏବ ସତ୍ୟରୂପ କଟିବନ୍ଧନୀରେ କଟି ବାନ୍ଧି ଧାର୍ମିକତା ରୂପ ଊରସ୍ତ୍ରାଣ ପରିଧାନ କର, 15ଶାନ୍ତିଦାୟକ ସୁସମାଚାର ନିମନ୍ତେ ସୁସଜ୍ଜିତ ପାଦୁକା ପାଦରେ ପିନ୍ଧି ଅଟଳ ହୋଇ ରହିଥାଅ; 16ଏବଂ ସେଥି ସଙ୍ଗେ ସଙ୍ଗେ, ଯଦ୍ବାରା ପାପାତ୍ମାର ଅଗ୍ନିବାଣ ସବୁ ନିର୍ବାଣ କରିବାକୁ ସମର୍ଥ ହୁଅ, ସେହି ବିଶ୍ୱାସରୂପ ଢ଼ାଲ ଧର। 17ପୁଣି, ପରିତ୍ରାଣ ରୂପ ଶିରସ୍ତ୍ରାଣ ପରିଧାନ କର ଓ ଆତ୍ମାଙ୍କ ଖ‌ଡ୍ଗ, ଅର୍ଥାତ୍‍ ଈଶ୍ବରଙ୍କ ବାକ୍ୟ ଧାରଣ କର;

18ସର୍ବ ପ୍ରକାର ପ୍ରାର୍ଥନା ଓ ନିବେଦନରେ ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର, ପୁଣି, ସମସ୍ତ ସାଧୁଙ୍କ ନିମନ୍ତେ ଜାଗି ରହି ପ୍ରାର୍ଥନା କର। 19ଆଉ ମୋ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ସୁସମାଚାର ନିମନ୍ତେ ଜଞ୍ଜିରରେ ବନ୍ଧାହୋଇଥିବା ରାଜଦୂତ ସ୍ୱରୂପ ଯେ ମୁଁ, ମୋତେ ସେହି ସୁସମାଚାରର ନିଗୂଢ଼ତତ୍ତ୍ୱ ସାହସପୂର୍ବକ ଜଣାଇବାକୁ ବାକ୍ୟ ଦିଆଯିବ, 20ପୁଣି, ମୁଁ ଯେପରି ତତ୍ ସମ୍ବନ୍ଧରେ ଯଥୋଚିତ କଥା କହିବାକୁ ସାହସ ପ୍ରାପ୍ତ ହେବି।

Tychique et la bénédiction finale

21ମୋହର ବିଷୟ, ଅର୍ଥାତ୍‍ ମୁଁ କିପରି ଅଛି, ଏହା ତୁମ୍ଭେମାନେ ଜାଣି ପାର, ସେଥିନିମନ୍ତେ ପ୍ରିୟ ଭ୍ରାତା ଓ ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ୱସ୍ତ ସେବକ ଯେ ତୁଖିକ, ସେ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇବେ; 22ଏହି ଉଦ୍ଦେଶ୍ୟରେ ମୁଁ ତାହାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଲି, ଯେପରି ତୁମ୍ଭେମାନେ ଆମ୍ଭମାନଙ୍କ ଅବସ୍ଥା ବିଷୟ ଜାଣି ପାର ଓ ତୁମ୍ଭମାନଙ୍କ ହୃଦୟ ତାହାଙ୍କ ଦ୍ୱାରା ଉତ୍ସାହ ପ୍ରାପ୍ତ ହୁଏ। 23ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଭାଇମାନଙ୍କ ପ୍ରତି ଶାନ୍ତି ଓ ବିଶ୍ୱାସ ସହିତ ପ୍ରେମ ବର୍ତ୍ତୁ। 24ଯେତେ ଲୋକ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଚିରନ୍ତନ ପ୍ରେମରେ ପ୍ରେମ କରନ୍ତି, ଅନୁଗ୍ରହ ସେମାନଙ୍କ ସହବର୍ତ୍ତୀ ହେଉ।

Copié !
Aa