2 Rois 15

Azaria règne en Juda

1ଇସ୍ରାଏଲର ରାଜା ଯାରବୀୟାମଙ୍କ ରାଜତ୍ଵର ସତାଇଶ ବର୍ଷରେ ଯିହୁଦାର ରାଜା ଅମତ୍‍ସୀୟଙ୍କର ପୁତ୍ର ଅସରୀୟ ରାଜତ୍ୱ କରିବାକୁ ଆରମ୍ଭ କଲେ। 2ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଷୋଳ ବର୍ଷ ବୟସ୍କ ହୋଇଥିଲେ; ଆଉ ସେ ଯିରୂଶାଲମରେ ବାବନ ବର୍ଷ ରାଜ୍ୟ କଲେ; ତାଙ୍କ ମାତାଙ୍କର ନାମ ଯିଖଲୀୟା, ସେ ଯିରୂଶାଲମ ନିବାସିନୀ ଥିଲେ। 3ପୁଣି ସେ ଆପଣା ପିତା ଅମତ୍‍ସୀୟଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ। 4ତଥାପି ଉଚ୍ଚସ୍ଥଳୀମାନ ଦୂରୀକୃତ ହେଲା ନାହିଁ; ଲୋକମାନେ ସେସମୟରେ ହେଁ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ। 5ପୁଣି ସଦାପ୍ରଭୁ ରାଜାଙ୍କୁ ଆଘାତ କଲେ, ତହିଁରେ ସେ ଆପଣା ମରଣ ଦିନ ପର୍ଯ୍ୟନ୍ତ କୁଷ୍ଠୀ ହୋଇ ଏକ ପୃଥକ ଗୃହରେ ବାସ କଲେ। ଆଉ ରାଜାଙ୍କର ପୁତ୍ର ଯୋଥମ୍‍ ଗୃହର କର୍ତ୍ତା ହୋଇ ଦେଶସ୍ଥ ଲୋକମାନଙ୍କର ବିଚାର କଲେ। 6ଏହି ଅସରୀୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କʼଣ ଯିହୁଦାର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?

7ଏଥିଉତ୍ତାରେ ଅସରୀୟ ମୃତ୍ୟୁବରଣ କଲେ; ତହିଁରେ ଲୋକମାନେ ତାଙ୍କୁ ଦାଉଦ-ନଗରରେ ତାଙ୍କର ପିତୃଗଣ ସହିତ କବର ଦେଲେ; ତହୁଁ ତାଙ୍କର ପୁତ୍ର ଯୋଥମ୍‍ ତାଙ୍କର ପଦରେ ରାଜ୍ୟ କଲେ।

Zacharie règne en Israël

8ଯିହୁଦାର ରାଜା ଅସରୀୟଙ୍କ ରାଜତ୍ଵର ଅଠତିରିଶି ବର୍ଷରେ ଯାରବୀୟାମଙ୍କ ପୁତ୍ର ଜିଖରୀୟ ଶମରୀୟାରେ ଇସ୍ରାଏଲ ଉପରେ ଛଅ ମାସ ରାଜ୍ୟ କଲେ। 9ପୁଣି ସେ ଆପଣା ପୂର୍ବପୁରୁଷମାନଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ବିମୁଖ ହେଲେ ନାହିଁ। 10ଆଉ ଯାବେଶଙ୍କର ପୁତ୍ର ଶଲ୍ଲୁମ୍‍ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରି ଓ ଲୋକମାନଙ୍କ ସମ୍ମୁଖରେ ତାଙ୍କୁ ଆଘାତ କରି ବଧ କଲେ ଓ ତାଙ୍କର ପଦରେ ରାଜ୍ୟ କଲେ। 11ଏହି ଜିଖରୀୟଙ୍କ ଅବଶିଷ୍ଟ ବୃତ୍ତାନ୍ତ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ଅଛି। 12ସଦାପ୍ରଭୁ ଯେହୂଙ୍କୁ ଏହି କଥା କହିଥିଲେ, ଯଥା, “ତୁମ୍ଭ ପୁତ୍ରମାନେ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବେ।” ଆଉ ସେହିପରି ହେଲା।

Schallum règne un mois

13ଯିହୁଦାର ରାଜା ଉଷୀୟଙ୍କ ରାଜତ୍ଵର ଅଣଚାଳିଶ ବର୍ଷରେ ଯାବେଶଙ୍କର ପୁତ୍ର ଶଲ୍ଲୁମ୍‍ ରାଜତ୍ୱ କରିବାକୁ ଆରମ୍ଭ କଲେ; ଆଉ ସେ ଶମରୀୟାରେ ଏକ ମାସ କାଳ ରାଜ୍ୟ କଲେ। 14ଆଉ ଗାଦିର ପୁତ୍ର ମନହେମ୍‍ ତିର୍ସାରୁ ଯାଇ ଶମରୀୟାରେ ଉପସ୍ଥିତ ହେଲେ ଓ ଯାବେଶଙ୍କର ପୁତ୍ର ଶଲ୍ଲୁମ୍‍ଙ୍କୁ ଶମରୀୟାରେ ଆଘାତ କରି ବଧ କଲେ, ପୁଣି ତାଙ୍କ ପଦରେ ରାଜ୍ୟ କଲେ। 15ଏହି ଶଲ୍ଲୁମ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର କୃତ ଚକ୍ରାନ୍ତ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ଅଛି। 16ଏଥିଉତ୍ତାରେ ମନହେମ୍‍ ତିର୍ସାଠାରୁ, ତିପ୍ସହ ଓ ତନ୍ମଧ୍ୟବର୍ତ୍ତୀ ସମସ୍ତଙ୍କୁ, ପୁଣି ତିପ୍ସହର ସମସ୍ତ ଅଞ୍ଚଳକୁ ଆଘାତ କଲେ। ଲୋକମାନେ ତାଙ୍କ ପାଇଁ ନଗର ମୁକ୍ତ ନ କରିବାରୁ ସେ ତାହା ଆଘାତ କଲେ; ପୁଣି ତନ୍ମଧ୍ୟବର୍ତ୍ତିନୀ ଗର୍ଭବତୀ ସ୍ତ୍ରୀ ସମସ୍ତଙ୍କର ଉଦର ବିଦୀର୍ଣ୍ଣ କଲେ।

Menahem règne en Israël

17ଯିହୁଦାର ରାଜା ଅସରୀୟଙ୍କ ରାଜତ୍ଵର ଅଣଚାଳିଶ ବର୍ଷରେ ଗାଦିର ପୁତ୍ର ମନହେମ୍‍ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରି ଶମରୀୟାରେ ଦଶ ବର୍ଷ ରାଜ୍ୟ କଲେ। 18ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ଆପଣାର ଯାବଜ୍ଜୀବନ ବିମୁଖ ହେଲେ ନାହିଁ। 19ଅଶୂରର ରାଜା ପୂଲ୍‍ ଦେଶର ବିରୁଦ୍ଧରେ ଆସନ୍ତେ, ମନହେମ୍‍ ଆପଣା ହସ୍ତରେ ରାଜ୍ୟ ଦୃଢ଼ କରିବା ପାଇଁ ଯେପରି ପୂଲ୍‍ର ହସ୍ତ ତାଙ୍କର ସହାୟ ହେବ, ଏଥିପାଇଁ ସେ ତାହାକୁ ଏକ ସହସ୍ର ତାଳନ୍ତ ରୂପା ଦେଲେ। 20ପୁଣି ମନହେମ୍‍ ଏହି ମୁଦ୍ରା ଇସ୍ରାଏଲ ମଧ୍ୟରୁ ଆଦାୟ କଲେ, ଅର୍ଥାତ୍‍, ଅଶୂରର ରାଜାକୁ ଦେବା ପାଇଁ ସମଗ୍ର ଧନଶାଳୀ ଲୋକଙ୍କର ପ୍ରତିଜଣଠାରୁ ପଚାଶ ଶେକଲ ଲେଖାଏଁ ରୂପା ନେଲେ, ତହିଁରେ ଅଶୂରର ରାଜା ଫେରିଗଲା ଓ ଦେଶର ସେସ୍ଥାନରେ ରହିଲା ନାହିଁ। 21ଏହି ମନହେମ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କʼଣ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?

22ଏଥିଉତ୍ତାରେ ମନହେମ୍‍ ମୃତ୍ୟୁବରଣ କଲେ; ତହୁଁ ତାଙ୍କର ପୁତ୍ର ପକହୀୟ ତାଙ୍କ ପଦରେ ରାଜ୍ୟ କଲେ।

Pekachia règne en Israël

23ଯିହୁଦାର ରାଜା ଅସରୀୟଙ୍କ ରାଜତ୍ଵର ପଚାଶ ବର୍ଷରେ ମନହେମ୍‍ଙ୍କର ପୁତ୍ର ପକହୀୟ ଶମରୀୟାରେ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରି ଦୁଇ ବର୍ଷ ରାଜ୍ୟ କଲେ। 24ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ବିମୁଖ ହେଲେ ନାହିଁ। 25ଆଉ ରମଲୀୟଙ୍କର ପୁତ୍ର ପେକହ ନାମକ ତାଙ୍କର ସେନାପତି ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରି ତାଙ୍କୁ ଓ ତାଙ୍କ ସଙ୍ଗେ ଅର୍ଗୋବ ଓ ଅରୀୟିକୁ ଶମରୀୟାସ୍ଥ ରାଜଗୃହର ଦୁର୍ଗରେ ଆଘାତ କଲେ। ପୁଣି ତାଙ୍କ ସଙ୍ଗେ ପଚାଶ ଜଣ ଗିଲୀୟଦୀୟ ଲୋକ ଥିଲେ; ଆଉ ସେ ତାଙ୍କୁ ବଧ କରି ତାଙ୍କ ପଦରେ ରାଜ୍ୟ କଲେ। 26ଏହି ପକହୀୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ଅଛି।

Pékach règne en Israël

27ଯିହୁଦାର ରାଜା ଅସରୀୟଙ୍କ ରାଜତ୍ଵର ବାବନ ବର୍ଷରେ ରମଲୀୟଙ୍କର ପୁତ୍ର ପେକହ ଶମରୀୟାରେ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରି କୋଡ଼ିଏ ବର୍ଷ ରାଜ୍ୟ କଲେ। 28ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସବୁ ପାପରୁ ସେ ବିମୁଖ ହେଲେ ନାହିଁ। 29ଇସ୍ରାଏଲର ରାଜା ପେକହଙ୍କର ସମୟରେ ଅଶୂରର ରାଜା ତିଗ୍ଲାତ୍‍-ପିଲେସର୍ ଆସି ଇୟୋନ୍‍ ଓ ଆବେଲ୍‍-ବେଥ୍-ମାଖା ଓ ଯାନୋହ ଓ କେଦଶ ଓ ହାସୋର ଓ ଗିଲୀୟଦ ଓ ଗାଲିଲୀ ଓ ସମୁଦାୟ ନପ୍ତାଲି ଦେଶ ହସ୍ତଗତ କଲା; ଆଉ ସେ ଲୋକମାନଙ୍କୁ ବନ୍ଦୀ କରି ଅଶୂରକୁ ନେଇଗଲା। 30ଏଥିଉତ୍ତାରେ ଏଲାଙ୍କର ପୁତ୍ର ହୋଶେୟ ରମଲୀୟଙ୍କର ପୁତ୍ର ପେକହଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ ଓ ସେ ତାଙ୍କୁ ଆଘାତ କରି ବଧ କଲେ, ପୁଣି ଉଷୀୟଙ୍କର ପୁତ୍ର ଯୋଥମ୍‍ଙ୍କ ରାଜତ୍ଵର କୋଡ଼ିଏ ବର୍ଷରେ ସେ ପେକହଙ୍କ ପଦରେ ରାଜ୍ୟ କଲେ। 31ଏହି ପେକହଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଇସ୍ରାଏଲର ରାଜାମାନଙ୍କର ଇତିହାସ ପୁସ୍ତକରେ ଲିଖିତ ଅଛି।

Jotham règne en Juda

32ଇସ୍ରାଏଲର ରାଜା ରମଲୀୟଙ୍କର ପୁତ୍ର ପେକହଙ୍କ ରାଜତ୍ଵର ଦ୍ୱିତୀୟ ବର୍ଷରେ ଯିହୁଦାର ରାଜା ଉଷୀୟଙ୍କର ପୁତ୍ର ଯୋଥମ୍‍ ରାଜତ୍ୱ କରିବାକୁ ଆରମ୍ଭ କଲେ। 33ସେ ରାଜତ୍ୱ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଷୋଳ ବର୍ଷ ରାଜ୍ୟ କଲେ। ଆଉ ତାଙ୍କ ମାତାଙ୍କର ନାମ ଯିରୁଶା, ସେ ସାଦୋକର କନ୍ୟା ଥିଲେ। 34ଯୋଥମ୍‍ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ; ସେ ଆପଣା ପିତା ଉଷୀୟଙ୍କର ସମସ୍ତ କ୍ରିୟାନୁସାରେ କର୍ମ କଲେ। 35ତଥାପି ଉଚ୍ଚସ୍ଥଳୀମାନ ଦୂରୀକୃତ ହେଲା ନାହିଁ; ଲୋକମାନେ ସେସମୟରେ ହେଁ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ। ସେ ସଦାପ୍ରଭୁଙ୍କ ଗୃହର ଉପର ଦ୍ୱାର ଦୃଢ଼ କଲେ। 36ଏହି ଯୋଥମ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କʼଣ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?

37ସେସମୟରେ ସଦାପ୍ରଭୁ ଅରାମର ରାଜା ରତ୍ସୀନକୁ ଓ ରମଲୀୟଙ୍କର ପୁତ୍ର ପେକହଙ୍କୁ ଯିହୁଦା ବିରୁଦ୍ଧରେ ପଠାଇବାକୁ ଆରମ୍ଭ କଲେ। 38ଏଥିଉତ୍ତାରେ ଯୋଥମ୍‍ ମୃତ୍ୟୁବରଣ କଲେ ଓ ଆପଣା ପୂର୍ବପୁରୁଷ ଦାଉଦଙ୍କର ନଗରରେ ଆପଣା ପିତୃଗଣ ସହିତ କବରପ୍ରାପ୍ତ ହେଲେ; ତହୁଁ ତାଙ୍କର ପୁତ୍ର ଆହସ୍‌ ତାଙ୍କର ପଦରେ ରାଜ୍ୟ କଲେ।

Copié !
Aa