耶利米书 52
耶路撒冷陷落
1ସିଦିକୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ବେଳେ ଏକୋଇଶ ବର୍ଷ ବୟସ୍କ ଥିଲା ଓ ସେ ଯିରୂଶାଲମରେ ଏଗାର ବର୍ଷ ରାଜ୍ୟ କଲା; ତାହାର ମାତାର ନାମ ହମୁଟଲ୍, ସେ ଲିବ୍ନା ନିବାସୀ ଯିରିମୀୟଙ୍କ କନ୍ୟା ଥିଲା। 2ଆଉ, ସେ ଯିହୋୟାକୀମ୍ର କୃତ ସମସ୍ତ କର୍ମାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲା। 3କାରଣ ସଦାପ୍ରଭୁଙ୍କ କ୍ରୋଧ ସକାଶୁ ସେ ସେମାନଙ୍କୁ ଆପଣା ଛାମୁରୁ ଦୂର ନ କରିବା ପର୍ଯ୍ୟନ୍ତ ଯିରୂଶାଲମ ଓ ଯିହୁଦାରେ ଏପରି ଘଟଣା ଘଟିଲା। ଆଉ, ସିଦିକୀୟ ବାବିଲ ରାଜାର ବିଦ୍ରୋହୀ ହେଲା। 4ଏଥିଉତ୍ତାରେ ତାହାଙ୍କ ରାଜତ୍ଵର ନବମ ବର୍ଷରେ, ଦଶମ ମାସର ଦଶମ ଦିନରେ, ବାବିଲର ରାଜା ନବୂଖଦ୍ନିତ୍ସର ଓ ତାହାର ସମସ୍ତ ସୈନ୍ୟ ଯିରୂଶାଲମକୁ ଆସି ତହିଁ ବିରୁଦ୍ଧରେ ଛାଉଣି କଲେ; ଆଉ, ସେମାନେ ତହିଁର ଚତୁର୍ଦ୍ଦିଗରେ ଗଡ଼ ନିର୍ମାଣ କଲେ। 5ତହୁଁ ସିଦିକୀୟ ରାଜାଙ୍କ ରାଜତ୍ଵର ଏଗାର ବର୍ଷ ପର୍ଯ୍ୟନ୍ତ ନଗର ଅବରୁଦ୍ଧ ହୋଇ ରହିଲା। 6ଚତୁର୍ଥ ମାସରେ, ସେହି ମାସର ନବମ ଦିନରେ ନଗରରେ ମହାଦୁର୍ଭିକ୍ଷ ହେଲା, ତହିଁରେ ଦେଶୀୟ ଲୋକମାନଙ୍କ ନିମନ୍ତେ କିଛି ଖାଦ୍ୟ ମିଳିଲା ନାହିଁ। 7ତେବେ, ନଗରରେ ଏକ ସ୍ଥାନ ଭଗ୍ନ ହୁଅନ୍ତେ, ସମସ୍ତ ଯୋଦ୍ଧା ଏକ ରାତ୍ରି ଭିତରେ ରାଜାର ଉଦ୍ୟାନ ନିକଟସ୍ଥ ଦୁଇ ପ୍ରାଚୀରର ମଧ୍ୟବର୍ତ୍ତୀ ଦ୍ୱାର ପଥ ଦେଇ ପଳାଇଲେ; ସେସମୟରେ କଲ୍ଦୀୟମାନେ ନଗରର ବିରୁଦ୍ଧରେ ଚତୁର୍ଦ୍ଦିଗରେ ଥିଲେ; ପୁଣି, ଲୋକମାନେ ଆରବା ପଥ ଦେଇ ଚାଲିଗଲେ। 8ମାତ୍ର କଲ୍ଦୀୟମାନଙ୍କ ସୈନ୍ୟ ରାଜାର ପଛେ ପଛେ ଗୋଡ଼ାଇ ଯିରୀହୋ ପଦାରେ ସିଦିକୀୟକୁ ଧରିଲେ; ତହିଁରେ ତାହାର ସକଳ ସୈନ୍ୟ ତାହା ନିକଟରୁ ଛିନ୍ନଭିନ୍ନ ହୋଇଗଲେ।
9ତହୁଁ ସେମାନେ ରାଜାକୁ ଧରି ହମାତ୍ ଦେଶସ୍ଥ ରିବ୍ଲାକୁ ବାବିଲ ରାଜା ନିକଟକୁ ନେଇଗଲେ; ତହିଁରେ ସେ ତାହା ପ୍ରତି ଦଣ୍ଡାଜ୍ଞା କଲା। 10ଆଉ, ବାବିଲର ରାଜା ସିଦିକୀୟର ପୁତ୍ରମାନଙ୍କୁ ତାହାର ସାକ୍ଷାତରେ ବଧ କଲା; ସେ ଯିହୁଦାର ଅଧିପତି ସମସ୍ତଙ୍କୁ ହିଁ ରିବ୍ଲାରେ ବଧ କଲା। 11ଆଉ, ସେ ସିଦିକୀୟର ଚକ୍ଷୁ ଉପାଡ଼ି ପକାଇଲା; ପୁଣି, ବାବିଲର ରାଜା ତାହାକୁ ଶୃଙ୍ଖଳରେ ବଦ୍ଧ କରି ବାବିଲକୁ ନେଇଗଲା ଓ ତାହାର ମୃତ୍ୟୁୁ ପର୍ଯ୍ୟନ୍ତ ତାହାକୁ କାରାଗାରରେ ରଖିଲା।
圣殿被焚
12ପଞ୍ଚମ ମାସରେ, ମାସର ଦଶମ ଦିନରେ, ବାବିଲର ରାଜା ନବୂଖଦ୍ନିତ୍ସର ରାଜାଙ୍କ ରାଜତ୍ଵର ଊଣେଇଶ ବର୍ଷରେ, ବାବିଲ ରାଜାର ସମ୍ମୁଖରେ ଦଣ୍ଡାୟମାନ ନବୂଷରଦନ୍ ନାମକ ପ୍ରହରୀବର୍ଗର ସେନାପତି ଯିରୂଶାଲମକୁ ଆସିଲା। 13ପୁଣି, ସେ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ଦଗ୍ଧ କଲା; ପୁଣି, ସେ ଯିରୂଶାଲମସ୍ଥ ସକଳ ଗୃହ, ଅର୍ଥାତ୍, ପ୍ରତ୍ୟେକ ବୃହତ ଗୃହ ଅଗ୍ନିରେ ଦଗ୍ଧ କଲା। 14ଆଉ, ପ୍ରହରୀବର୍ଗର ସେନାପତି ସଙ୍ଗେ ଥିବା କଲ୍ଦୀୟ ସମସ୍ତ ସୈନ୍ୟ ଯିରୂଶାଲମର ଚତୁର୍ଦ୍ଦିଗସ୍ଥ ପ୍ରାଚୀର ଭଗ୍ନ କଲେ। 15ସେତେବେଳେ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ଲୋକମାନଙ୍କ ମଧ୍ୟରୁ ନିତାନ୍ତ ଦରିଦ୍ରମାନଙ୍କୁ ଓ ନଗରର ଅବଶିଷ୍ଟ ଲୋକମାନଙ୍କୁ, ଆଉ ବାବିଲ ରାଜାର ପକ୍ଷକୁ ପଳାୟନକାରୀମାନଙ୍କୁ ଓ ଅବଶିଷ୍ଟ ସାଧାରଣ ଲୋକମାନଙ୍କୁ ବନ୍ଦୀ କରି ନେଇଗଲା। 16ମାତ୍ର ପ୍ରହରୀବର୍ଗର ସେନାପତି ନବୂଷରଦନ୍ ଦେଶର ନିତାନ୍ତ ଦରିଦ୍ରମାନଙ୍କ ମଧ୍ୟରୁ କେତେକଙ୍କୁ ଦ୍ରାକ୍ଷାକ୍ଷେତ୍ରର କର୍ମଚାରୀ ଓ କୃଷକ ହେବା ପାଇଁ ଛାଡ଼ିଗଲା। 17ପୁଣି, କଲ୍ଦୀୟମାନେ ସଦାପ୍ରଭୁଙ୍କ ଗୃହର ପିତ୍ତଳ ସ୍ତମ୍ଭ ଓ ସଦାପ୍ରଭୁଙ୍କ ଗୃହର ବୈଠିକି ସବୁ ଓ ପିତ୍ତଳମୟ ସମୁଦ୍ରରୂପ ପାତ୍ର ଖଣ୍ଡ ଖଣ୍ଡ କରି ଭାଙ୍ଗି ତହିଁର ପିତ୍ତଳସବୁ ବାବିଲକୁ ନେଇଗଲେ। 18ଆହୁରି, ସେମାନେ ହାଣ୍ଡି ଓ କରଚୁଲି, କତୁରୀ, କୁଣ୍ଡ, ଚମସ ଓ ପରିଚର୍ଯ୍ୟାର୍ଥକ ସକଳ ପିତ୍ତଳମୟ ପାତ୍ର ନେଇଗଲେ। 19ପ୍ରହରୀବର୍ଗର ସେନାପତି ତାଟିଆ, ଅଙ୍ଗାରଧାନୀ, କୁଣ୍ଡ, ହାଣ୍ଡି, ଦୀପବୃକ୍ଷ, ଚମସ ଓ ପାତ୍ରସବୁ, ଯାହା ସୁନାର ଥିଲା, ତାହା ସୁନା କରି ଓ ଯାହା ରୂପାର ଥିଲା, ତାହା ରୂପା କରି ନେଇଗଲା।
20ଶଲୋମନ ରାଜା ସଦାପ୍ରଭୁଙ୍କ ଗୃହ ନିମନ୍ତେ ଯେଉଁ ଦୁଇ ସ୍ତମ୍ଭ, ଏକ ସମୁଦ୍ରରୂପ ପାତ୍ର ଓ ତହିଁର ତଳସ୍ଥ ଦ୍ୱାଦଶ ପିତ୍ତଳମୟ ବୃଷରୂପ ବୈଠିକି ନିର୍ମାଣ କରିଥିଲେ, ସେହି ସବୁ ପାତ୍ରର ପିତ୍ତଳ ଅପରିମିତ ଥିଲା। 21ପୁଣି, ସେହି ଦୁଇ ସ୍ତମ୍ଭ, ପ୍ରତ୍ୟେକର ଉଚ୍ଚ ଅଠର ହାତ ଓ ପରିଧି ବାର ହାତ ଓ ତହିଁର ସ୍ଥୂଳତା ଚାରି ଅଙ୍ଗୁଳି ଓ ତାହା ଫମ୍ପା ଥିଲା। 22ଆଉ, ତହିଁର ଉପରେ ପିତ୍ତଳର ମୁଣ୍ଡାଳି ଥିଲା, ସେହି ମୁଣ୍ଡାଳିର ଉଚ୍ଚତା ପାଞ୍ଚ ହାତ ଓ ମୁଣ୍ଡାଳିର ଉପରେ ଚତୁର୍ଦ୍ଦିଗରେ ଜାଲିକର୍ମ ଓ ଡାଳିମ୍ବାକୃତି ଥିଲା, ସେସବୁ ପିତ୍ତଳମୟ ଥିଲା; ଆଉ, ଦ୍ୱିତୀୟ ସ୍ତମ୍ଭର ମଧ୍ୟ ଏହି ପ୍ରକାର ଆକାର ଓ ଡାଳିମ୍ବ ଥିଲା। 23ପାର୍ଶ୍ୱରେ ଛୟାନବେ ଡାଳିମ୍ବ ଥିଲା; ଜାଲିକର୍ମର ଉପରେ ଚାରିଆଡ଼େ ଏକ ଶତ ଡାଳିମ୍ବାକୃତି ଥିଲା।
首领被处死
24ପୁଣି, ପ୍ରହରୀବର୍ଗର ସେନାପତି ପ୍ରଧାନ ଯାଜକ ସରାୟକୁ ଓ ଦ୍ୱିତୀୟ ଯାଜକ ସଫନୀୟକୁ, ଆଉ ତିନି ଜଣ ଦ୍ୱାରପାଳକୁ ଧରିଲା। 25ଆଉ, ନଗରରୁ ଯୋଦ୍ଧାମାନଙ୍କ ଉପରେ ନିଯୁକ୍ତ ଏକ ଜଣ ଅଧ୍ୟକ୍ଷଙ୍କୁ ଓ ନଗରରେ ପ୍ରାପ୍ତ ରାଜମୁଖ ଦର୍ଶନକାରୀମାନଙ୍କ ମଧ୍ୟରୁ ସାତଜଣକୁ ଓ ଦେଶର ଲୋକଗଣନାକାରୀ ସେନାପତିର ଲେଖକଙ୍କୁ ଓ ନଗର ମଧ୍ୟରେ ପ୍ରାପ୍ତ ଦେଶୀୟ ଷାଠିଏ ଲୋକକୁ ଧରିଲା। 26ପୁଣି, ପ୍ରହରୀବର୍ଗର ସେନାପତି ନବୂଷରଦନ୍ ସେମାନଙ୍କୁ ଧରି ରିବ୍ଲାକୁ ବାବିଲ ରାଜା ନିକଟକୁ ନେଇଗଲା। 27ତହିଁରେ ବାବିଲର ରାଜା ହମାତ୍ ଦେଶସ୍ଥ ରିବ୍ଲାରେ ସେମାନଙ୍କୁ ଆଘାତ କରି ବଧ କଲା। ଏହିରୂପେ ଯିହୁଦା ଆପଣା ଦେଶରୁ ବନ୍ଦୀ ହୋଇ ନୀତ ହେଲା। 28ନବୂଖଦ୍ନିତ୍ସର ଯେଉଁମାନଙ୍କୁ ବନ୍ଦୀ କରି ନେଇଗଲା, ସେହି ଲୋକମାନଙ୍କର ସଂଖ୍ୟା ଏହି; ସପ୍ତମ ବର୍ଷରେ ତିନି ସହସ୍ର ତେଇଶ ଜଣ ଯିହୁଦୀ ଲୋକ; 29ନବୂଖଦ୍ନିତ୍ସରଙ୍କ ରାଜତ୍ଵର ଅଠର ବର୍ଷରେ ସେ ଯିରୂଶାଲମରୁ ଆଠ ଶହ ବତିଶ ଲୋକ ବନ୍ଦୀ କରି ନେଇଗଲା; 30ନବୂଖଦ୍ନିତ୍ସରଙ୍କ ରାଜତ୍ଵର ତେଇଶ ବର୍ଷରେ ନବୂଷରଦନ୍ ପ୍ରହରୀବର୍ଗର ସେନାପତି, ସାତ ଶହ ପଇଁଚାଳିଶ ଜଣ ଯିହୁଦୀଙ୍କୁ ବନ୍ଦୀ କରି ନେଇଗଲା; ସର୍ବସୁଦ୍ଧା ଚାରି ସହସ୍ର ଛʼ ଶତ ଲୋକ ଥିଲେ।
约雅斤在王面前吃饭
31ଏଥିଉତ୍ତାରେ ଯିହୁଦାର ରାଜା ଯିହୋୟାଖୀନ୍ର ବନ୍ଦୀତ୍ୱର ସଇଁତିରିଶ ବର୍ଷର ଦ୍ୱାଦଶ ମାସରେ ଓ ସେହି ମାସର ପଚିଶ ଦିନରେ ବାବିଲର ରାଜା ଇବିଲ୍-ମରୋଦକ୍ ଆପଣା ରାଜତ୍ଵର ପ୍ରଥମ ବର୍ଷରେ, ଯିହୁଦାର ରାଜା ଯିହୋୟାଖୀନ୍କୁ କାରାଗାରରୁ ବାହାର କରି ତାହାର ମସ୍ତକ ଉନ୍ନତ କଲା; 32ଆଉ, ସେ ତାହାକୁ ପ୍ରୀତିବାକ୍ୟ କହିଲା ଓ ତାହା ସଙ୍ଗେ ବାବିଲରେ ଥିବା ରାଜାମାନଙ୍କର ଆସନଠାରୁ ତାହାର ଆସନ ଉଚ୍ଚରେ ସ୍ଥାପନ କଲା, 33ଆଉ ସେ ଆପଣା କାରାଗାରର ବସ୍ତ୍ର ପରିବର୍ତ୍ତନ କରି ଆପଣାର ଯାବଜ୍ଜୀବନ ନିତ୍ୟ ନିତ୍ୟ ତାହା ସମ୍ମୁଖରେ ଭୋଜନ କଲା। 34ପୁଣି, ତାହାର ଦିନାତିପାତ ନିମନ୍ତେ ବାବିଲର ରାଜାଠାରୁ ନିତ୍ୟ ବୃତ୍ତି ଦିଆଗଲା, ସେ ଆପଣା ମରଣ ଦିନ ପର୍ଯ୍ୟନ୍ତ, ଆପଣା ଜୀବନର ସମସ୍ତ କାଳ ପ୍ରତିଦିନ ଏକ ନିରୂପିତ ଅଂଶ ପାଇଲା।