Genesi 4
Caino uccide suo fratello
1ଏଥିଉତ୍ତାରେ ଆଦମ ଆପଣା ଭାର୍ଯ୍ୟା ହବାଙ୍କର ସହବାସ କରନ୍ତେ, ସେ ଗର୍ଭବତୀ ହୋଇ କୟିନ (ଅର୍ଥାତ୍ ଲାଭ) ନାମକ ଗୋଟିଏ ପୁତ୍ର ପ୍ରସବ କରି କହିଲେ, “ସଦାପ୍ରଭୁଙ୍କ ସାହାଯ୍ୟରେ ମୋହର ଏକ ନର ଲାଭ ହୋଇଅଛି।” 2ଏଥିଉତ୍ତାରେ ସେ ହେବଲ (ଅର୍ଥାତ୍ ଅସ୍ଥାୟୀ) ନାମକ ତାହାର ସହୋଦରକୁ ପ୍ରସବ କଲେ। ଏଥର ହେବଲ ମେଷପାଳକ ଓ କୟିନ କୃଷକ ହେଲେ। 3ସମୟାନୁକ୍ରମେ କୟିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂମିରୁ ଉତ୍ପନ୍ନ ଫଳ ଆଣି ଉତ୍ସର୍ଗ କଲେ। 4ଆଉ ହେବଲ ମଧ୍ୟ ନିଜ ପଲର ପ୍ରଥମଜାତ କେତେକ ପଶୁ ଓ ସେମାନଙ୍କ ମେଦ ଉତ୍ସର୍ଗ କଲେ। ସଦାପ୍ରଭୁ ହେବଲଙ୍କୁ ଓ ତାଙ୍କର ନୈବେଦ୍ୟକୁ ଗ୍ରାହ୍ୟ କଲେ। 5ମାତ୍ର କୟିନଙ୍କୁ ଓ ତାଙ୍କର ନୈବେଦ୍ୟକୁ ସେ ଅଗ୍ରାହ୍ୟ କଲେ। ଏହେତୁ କୟିନ ଅତି କ୍ରୋଧ କରି ଦୁଃଖିତ ହେଲେ। 6ତହିଁରେ ସଦାପ୍ରଭୁ କୟିନଙ୍କୁ କହିଲେ, “ତୁମ୍ଭେ କାହିଁକି କ୍ରୋଧ କରୁଅଛ? ଆଉ କାହିଁକି ଦୁଃଖିତ ହେଉଅଛ?
7ସତ୍କର୍ମ କଲେ, କି ତୁମ୍ଭେ ଊର୍ଦ୍ଧ୍ୱମୁଖ ହେବ ନାହିଁ? ସତ୍କର୍ମ ନ କଲେ, ପାପ ଦ୍ୱାରରେ ଛକିଥାଏ; ତୁମ୍ଭ ପ୍ରତି ତାହାର ବାସନା ରହିବ, ମାତ୍ର ତୁମ୍ଭେ ତାହା ଉପରେ କର୍ତ୍ତୃତ୍ୱ କରିବା ଉଚିତ।” 8ଏଥିଉତ୍ତାରେ କୟିନ ଆପଣା ଭାଇ ହେବଲ ସହିତ କଥାବାର୍ତ୍ତା କଲେ। ତହୁଁ ସେମାନେ କ୍ଷେତରେ ଥିବା ବେଳେ କୟିନ ଆପଣା ଭାଇ ହେବଲଙ୍କୁ ଆକ୍ରମଣ କରି ବଧ କଲେ। 9ଏଥିଉତ୍ତାରେ ସଦାପ୍ରଭୁ କୟିନଙ୍କୁ ପଚାରିଲେ, “ତୁମ୍ଭ ଭାଇ ହେବଲ କେଉଁଠାରେ?” ସେ କହିଲେ, “ମୁଁ ଜାଣେ ନାହିଁ, ମୁଁ କʼଣ ମୋʼ ଭାଇର ରକ୍ଷକ?” 10ସେ କହିଲେ, “ତୁମ୍ଭେ କଅଣ କରିଅଛ? ତୁମ୍ଭ ଭାଇର ରକ୍ତ ଭୂମିରୁ ଆମ୍ଭ ପ୍ରତି ଡାକ ପକାଉଅଛି। 11ଏଥିନିମନ୍ତେ ଯେଉଁ ଭୂମି ତୁମ୍ଭ ହସ୍ତରୁ ତୁମ୍ଭ ଭାଇର ରକ୍ତ ଗ୍ରହଣାର୍ଥେ ଆପଣା ମୁଖ ମୁକ୍ତ କରିଅଛି, ସେହି ଭୂମିରେ ଏବେ ତୁମ୍ଭେ ଶାପଗ୍ରସ୍ତ ହେଲ; 12ଭୂମିରେ କୃଷିକର୍ମ କଲେ ହେଁ ତାହା ଆପଣା ଶକ୍ତି ଦେଇ ଆଉ ତୁମ୍ଭର ସେବା କରିବ ନାହିଁ; ତୁମ୍ଭେ ପୃଥିବୀରେ ପଳାତକ ଓ ଭ୍ରମଣକାରୀ ହେବ।” 13କୟିନ ସଦାପ୍ରଭୁଙ୍କୁ କହିଲେ, “ମୋହର ଦଣ୍ଡ ଅସହ୍ୟ। 14ଦେଖ, ତୁମ୍ଭେ ଆଜି ମୋତେ ଏ ସ୍ଥାନରୁ ତଡ଼ି ଦେଲ, ତହିଁରେ ତୁମ୍ଭ ସମ୍ମୁଖରୁ ମୁଁ ଗୁପ୍ତ ହେବି; ଏହିରୂପେ ପୃଥିବୀରେ ପଳାତକ ଓ ଭ୍ରମଣକାରୀ ହେଲେ ଏପରି ହେବ ଯେ, କୌଣସି ଲୋକ ମୋତେ ପାଇଲେ ବଧ କରିବ।”
15ଆଉ ସଦାପ୍ରଭୁ ତାଙ୍କୁ କହିଲେ, “ଏହେତୁ କେହି କୟିନଙ୍କୁ ବଧ କଲେ, ତାହାର ସାତ ଗୁଣ ଦଣ୍ଡ ହେବ।” ପୁଣି, କେହି ତାଙ୍କୁ ଦେଖି ଯେପରି ବଧ ନ କରଇ, ଏଥିପାଇଁ ସଦାପ୍ରଭୁ କୟିନଙ୍କ ନିମନ୍ତେ ଏକ ଚିହ୍ନ ନିରୂପଣ କଲେ। 16ଏଥିଉତ୍ତାରେ କୟିନ ସଦାପ୍ରଭୁଙ୍କ ସମ୍ମୁଖରୁ ପ୍ରସ୍ଥାନ କରି ଏଦନର ପୂର୍ବଦିଗସ୍ଥ ନୋଦ ନାମକ ସ୍ଥାନରେ ବାସ କଲେ।
La discendenza di Caino
17ଆଉ କୟିନ ଆପଣା ଭାର୍ଯ୍ୟାର ସହବାସ କରନ୍ତେ, ସେ ଗର୍ଭବତୀ ହୋଇ ହନୋକକୁ ପ୍ରସବ କଲେ; ପୁଣି, ସେ ଏକ ନଗର ନିର୍ମାଣ କରି ଆପଣା ପୁତ୍ରର ନାମାନୁସାରେ ତହିଁର ନାମ ହନୋକ ଦେଲେ। 18ସେହି ହନୋକର ପୁତ୍ର ଈରଦ ଓ ଈରଦର ପୁତ୍ର ମହୁୟାୟେଲ ଓ ମହୁୟାୟେଲର ପୁତ୍ର ମଥୁଶାୟେଲ ଓ ମଥୁଶାୟେଲର ପୁତ୍ର ଲେମକ। 19ଏହି ଲେମକ ଦୁଇଟି ସ୍ତ୍ରୀ ବିବାହ କଲେ, ଏକର ନାମ ଆଦା ଓ ଅନ୍ୟର ନାମ ସିଲ୍ଲା ଥିଲା। 20ଆଦାର ଗର୍ଭରେ ଜାବଳ ଜନ୍ମିଲା, ସେ ତମ୍ବୁନିବାସୀ ପଶୁପାଳକମାନଙ୍କର ଆଦିପୁରୁଷ ଥିଲା। 21ତାହାର ଭାଇର ନାମ ଯୁବଳ, ସେ ବୀଣା ଓ ବଂଶୀବାଦକମାନଙ୍କର ଆଦିପୁରୁଷ ଥିଲା। 22ସିଲ୍ଲାର ଗର୍ଭରେ ତୁବଲ୍-କୟିନ ଜନ୍ମିଲା, ସେ ପିତ୍ତଳ ଓ ଲୌହର ନାନା ପ୍ରକାର ଅସ୍ତ୍ର ନିର୍ମାଣକାରୀ ଥିଲା; ତୁବଲ୍-କୟିନର ନୟମା ନାମ୍ନୀ ଏକ ଭଗ୍ନୀ ଥିଲା। 23ଏଥିଉତ୍ତାରେ ଲେମକ ଆପଣା ଭାର୍ଯ୍ୟାମାନଙ୍କୁ କହିଲେ, “ଆଗୋ ଆଦା ଓ ସିଲ୍ଲା, ମୋʼ କଥା ଶୁଣ; ଆଗୋ ଲେମକର ଭାର୍ଯ୍ୟାଗଣ, ତୁମ୍ଭେମାନେ ମୋʼ ବାକ୍ୟରେ କର୍ଣ୍ଣପାତ କର; ମୁଁ ଆଘାତର ପରିଶୋଧରେ ଜଣେ ମନୁଷ୍ୟକୁ ଓ ପ୍ରହାରର ପରିଶୋଧରେ ଜଣେ ଯୁବାକୁ ବଧ କରିଅଛି; 24ଯଦି କୟିନର ବଧର ପ୍ରତିଫଳ ସାତ ଗୁଣ ହୁଏ, ତେବେ ଲେମକର ପ୍ରତିଫଳ ସତସ୍ତରି ଗୁଣ ନିଶ୍ଚୟ ହେବ।”
Nasce Set
25ଏଥିଉତ୍ତାରେ ଆଦମ ପୁନଶ୍ଚ ଆପଣା ଭାର୍ଯ୍ୟାଙ୍କର ସହବାସ କରନ୍ତେ, ସେ ଏକ ପୁତ୍ର ପ୍ରସବ କରି ତାହାର ନାମ ଶେଥ (ଅର୍ଥାତ୍ ପ୍ରତିନିଧି) ଦେଲେ; ଯେହେତୁ ସେ କହିଲେ, “ପରମେଶ୍ୱର ହେବଲର ପ୍ରତିନିଧି ରୂପେ ଆଉ ଗୋଟିଏ ପୁତ୍ର ମୋତେ ଦେଇଅଛନ୍ତି, କାରଣ କୟିନ ତାକୁ ବଧ କରିଥିଲା।” 26ତହୁଁ ଶେଥର ମଧ୍ୟ ଏକ ପୁତ୍ର ଜନ୍ମିଲା; ଆଉ ସେ ତାହାର ନାମ ଈନୋଶ ଦେଲା। ଏହି ସମୟରେ ମନୁଷ୍ୟମାନେ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବାକୁ ଲାଗିଲେ।