Filippesi 2
Stimate gli altri superiori a voi stessi
1ଅତଏବ, ଯଦି ଖ୍ରୀଷ୍ଟଙ୍କ ସହଭାଗିତାରେ କୌଣସି ଉତ୍ସାହ, କୌଣସି ପ୍ରେମପୂର୍ଣ୍ଣ ସାନ୍ତ୍ୱନା, ଆତ୍ମାଙ୍କ କୌଣସି ସହଭାଗିତା, ପୁଣି, କୌଣସି ପ୍ରେମପୂର୍ଣ୍ଣ କରୁଣା ଓ ଦୟା ଥାଏ, 2ତାହାହେଲେ ତୁମ୍ଭେମାନେ ଏକମନା, ଏକ ପ୍ରେମରେ ପ୍ରେମୀ, ଏକଚିତ୍ତ ଓ ଏକଭାବାପନ୍ନ ହୋଇ ମୋହର ଆନନ୍ଦ ପୂର୍ଣ୍ଣ କର, 3ସ୍ୱାର୍ଥପରତା ଅବା ଅସାର ଗର୍ବ ହେତୁ କିଛି କର ନାହିଁ, ବରଂ ନମ୍ରଚିତ୍ତ ହୋଇ ପ୍ରତ୍ୟେକେ ଅନ୍ୟକୁ ଆପଣାଠାରୁ ଶ୍ରେଷ୍ଠ ମନେ କର; 4ପ୍ରତି ଜଣ କେବଳ ଆପଣା ବିଷୟରେ ମନୋଯୋଗୀ ନ ହୋଇ ଅନ୍ୟର ବିଷୟରେ ମଧ୍ୟ ମନୋଯୋଗୀ ହୁଅ।
Umiliò se stesso
5ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା, ତୁମ୍ଭମାନଙ୍କର ସେହିପରି ମନ ହେଉ; 6ସେ ଈଶ୍ବରରୂପୀ ହେଲେ ହେଁ ଈଶ୍ବରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ, 7କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ; 8ପୁଣି, ମନୁଷ୍ୟ ଭାବରେ ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ, ହଁ, କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ। 9ଏହି କାରଣରୁ ଈଶ୍ବର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି, ପୁଣି, ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି, 10ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଆଣ୍ଠୁ ଯୀଶୁଙ୍କ ନାମରେ ନତ ହେବ, 11ପୁଣି, ପିତା ଈଶ୍ବରଙ୍କ ଗୌରବ ନିମନ୍ତେ ପ୍ରତ୍ୟେକ ଜିହ୍ୱା ଯୀଶୁ ଖ୍ରୀଷ୍ଟ ପ୍ରଭୁ ବୋଲି ସ୍ୱୀକାର କରିବ।
Risplendete come stelle
12ଅତଏବ, ହେ ମୋହର ପ୍ରିୟମାନେ, ଯେପରି ତୁମ୍ଭେମାନେ ସର୍ବଦା ଆଜ୍ଞାବହ ହୋଇଅଛ, କେବଳ ମୋହର ଉପସ୍ଥିତିରେ କଲା ପରି ନୁହେଁ, କିନ୍ତୁ ବର୍ତ୍ତମାନ ମୋହର ଅନୁପସ୍ଥିତିରେ ଆହୁରି ଅଧିକ ରୂପେ ଭୟ ଓ କମ୍ପ ସହ ଆପଣା ଆପଣା ପରିତ୍ରାଣ ସାଧନ କର, 13କାରଣ ଇଚ୍ଛା କରିବାକୁ ଓ ସାଧନ କରିବାକୁ ଈଶ୍ବର ଆପଣା ମଙ୍ଗଳମୟ ସଙ୍କଳ୍ପର ସଫଳତା ନିମନ୍ତେ ତୁମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ କରନ୍ତି। 14ବଚସା ଓ ତର୍କବିତର୍କ ବିନା ସମସ୍ତ କାର୍ଯ୍ୟ କର, 15ଯେପରି ତୁମ୍ଭେମାନେ ନିର୍ଦ୍ଦୋଷ ଓ ଅମାୟିକ ହୋଇ ଏହି କୁଟିଳ ବିପଥଗାମୀ ବଂଶ ମଧ୍ୟରେ ଈଶ୍ବରଙ୍କ ଅନିନ୍ଦନୀୟ ସନ୍ତାନସନ୍ତତି ହୁଅ; ସେମାନଙ୍କ ମଧ୍ୟରେ ତୁମ୍ଭେମାନେ ଜୀବନର ବାକ୍ୟ ଧରି ଜଗତରେ ଜ୍ୟୋତିଃ ସ୍ୱରୂପ ପ୍ରକାଶ ପାଉଅଛ; 16ସେଥିରେ ମୁଁ ଯେ ବୃଥାରେ ଦୌଡ଼ି ନାହିଁ କିଅବା ବୃଥାରେ ପରିଶ୍ରମ କରି ନାହିଁ, ସେ ସମ୍ବନ୍ଧରେ ଖ୍ରୀଷ୍ଟଙ୍କ ପୁନରାଗମନ ଦିନରେ ଦର୍ପ କରିପାରିବି। 17ହଁ, ଆଉ ଯଦି ମୋହର ରକ୍ତ ତୁମ୍ଭମାନଙ୍କ ବିଶ୍ୱାସ ସମ୍ବନ୍ଧୀୟ ସେବାରେ ପେୟ ନୈବେଦ୍ୟ ପରି ଢଳା ଯାଏ, ତେବେ ମଧ୍ୟ ମୁଁ ଆନନ୍ଦିତ ଓ ତୁମ୍ଭ ସମସ୍ତଙ୍କ ସହିତ ଉଲ୍ଲସିତ। 18ଆଉ, ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆନନ୍ଦ କର ଓ ମୋʼ ସହିତ ଉଲ୍ଲାସ କର।
Timoteo ed Epafrodito
19କିନ୍ତୁ ମୁଁ ତୁମ୍ଭମାନଙ୍କ ନିକଟକୁ ତୀମଥିଙ୍କୁ ଶୀଘ୍ର ପଠାଇବି ବୋଲି ପ୍ରଭୁ ଯୀଶୁଙ୍କଠାରେ ଭରସା କରୁଅଛି, ଯେପରି ତୁମ୍ଭମାନଙ୍କ ଅବସ୍ଥା ବିଷୟ ଜାଣି ମୁଁ ମଧ୍ୟ ଉତ୍ସାହିତ ହେବି। 20କାରଣ ଯେ ତୁମ୍ଭମାନଙ୍କ ବିଷୟରେ ପ୍ରକୃତରେ ମନୋଯୋଗ କରିବ, ଏପରି ସମଭାବାପନ୍ନ ଲୋକ ତାହାଙ୍କ ବିନା ମୋʼ ନିକଟରେ ଆଉ କେହି ନାହିଁ। 21ଯେଣୁ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟ ଚେଷ୍ଟା ନ କରି ସ୍ୱାର୍ଥ ଚେଷ୍ଟା କରନ୍ତି। 22ସେ ଯେ ପରୀକ୍ଷାସିଦ୍ଧ ଲୋକ, ଏହା ତୁମ୍ଭେମାନେ ଜାଣ; ପୁତ୍ର ପିତାର ସେବା କଲା ପରି ସେ ତ ସୁସମାଚାର କାର୍ଯ୍ୟରେ ମୋʼ ସହିତ ସେବା କରିଥିଲେ। 23ଅତଏବ, ମୋʼ ପ୍ରତି କଅଣ ଘଟିବ, ତାହା ଜାଣିବାମାତ୍ର ତାହାଙ୍କୁ ପଠାଇବି ବୋଲି ଭରସା କରୁଅଛି; 24କିନ୍ତୁ ମୁଁ ପ୍ରଭୁଙ୍କଠାରେ ବିଶ୍ୱାସ କରୁଅଛି ଯେ, ମୁଁ ନିଜେ ମଧ୍ୟ ଶୀଘ୍ର ଯିବି। 25କିନ୍ତୁ ମୁଁ ମୋହର ଭ୍ରାତା, ସହକର୍ମୀ, ସହସେନା ଓ ମୋହର ଅଭାବ ପୂରଣ ନିମନ୍ତେ ତୁମ୍ଭମାନଙ୍କର ପ୍ରେରିତ ଓ ସେବକ ଏପାଫ୍ରାଦିତଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇବା ପାଇଁ ଆବଶ୍ୟକ ମନେ କଲି; 26କାରଣ ସେ ତୁମ୍ଭ ସମସ୍ତଙ୍କୁ ଦେଖିବା ପାଇଁ ଅତ୍ୟନ୍ତ ଇଚ୍ଛୁକ, ପୁଣି, ସେ ପୀଡ଼ିତ ଅଛନ୍ତି ବୋଲି ତୁମ୍ଭେମାନେ ଶୁଣିଥିବାରୁ ଅତ୍ୟନ୍ତ ବ୍ୟଥିତ;
27ହଁ, ସେ ମୃତ୍ୟୁ ସରିକି ପୀଡ଼ିତ ହୋଇଥିଲେ, କିନ୍ତୁ ଈଶ୍ବର ତାହାଙ୍କୁ ଦୟା କଲେ, ଆଉ କେବଳ ତାହାଙ୍କୁ ନୁହେଁ, ମାତ୍ର ଯେପରି ମୋʼ ପ୍ରତି ଦୁଃଖ ଉପରେ ଦୁଃଖ ଘଟିବ ନାହିଁ, ଏଥିପାଇଁ ମୋʼ ଉପରେ ମଧ୍ୟ ଦୟା କଲେ। 28ଏଣୁ ତୁମ୍ଭେମାନେ ଯେପରି ତାହାଙ୍କୁ ପୁନର୍ବାର ଦେଖି ଆନନ୍ଦ କର ଓ ମୋʼ ଦୁଃଖ ଯେପରି ଊଣା ପଡ଼େ, ଏଥିପାଇଁ ମୁଁ ତାହାଙ୍କୁ ପଠାଇବା ନିମନ୍ତେ ଅଧିକ ଯତ୍ନବାନ ହେଲି। 29ଅତଏବ, ପ୍ରଭୁଙ୍କ ହେତୁ ତାହାଙ୍କୁ ଅତି ଆନନ୍ଦରେ ଗ୍ରହଣ କର, ଆଉ ଏହି ପ୍ରକାର ବ୍ୟକ୍ତିମାନଙ୍କୁ ସମାଦର କର; 30କାରଣ ମୋʼ ପ୍ରତି ତୁମ୍ଭମାନଙ୍କ ସେବାରେ ଯାହା କିଛି ଅଭାବ, ତାହା ପୂରଣ କରିବାକୁ ସେ ଖ୍ରୀଷ୍ଟଙ୍କ କାର୍ଯ୍ୟରେ ଆପଣା ଜୀବନ ବିପଦଗ୍ରସ୍ତ କରି ମୃତପ୍ରାୟ ହୋଇଥିଲେ।