Matthew 6
Giving in secret
1ଲୋକ ଦେଖାଇବା ପାଇଁ ସେମାନଙ୍କ ସମ୍ମୁଖରେ ଯେପରି ଧର୍ମକର୍ମ ନ କର, ଏଥିପାଇଁ ତୁମ୍ଭେମାନେ ସାବଧାନ ହୋଇଥାଅ, ନୋହିଲେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କ ନିକଟରେ ତୁମ୍ଭମାନଙ୍କର ପୁରସ୍କାର ନାହିଁ। 2ଏଣୁ ଦାନ କରିବା ସମୟରେ କପଟୀମାନଙ୍କ ପରି ନିଜ ସମ୍ମୁଖରେ ତୂରୀ ବଜାଅ ନାହିଁ; ସେମାନେ ଲୋକମାନଙ୍କଠାରୁ ଗୌରବ ପାଇବା ପାଇଁ ସମାଜଗୃହରେ ଓ ଦାଣ୍ଡରେ ସେପ୍ରକାର କରନ୍ତି। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି। 3କିନ୍ତୁ ତୁମ୍ଭେ ଦାନ କରିବା ସମୟରେ ତୁମ୍ଭର ଦକ୍ଷିଣ ହସ୍ତ କଅଣ କରୁଅଛି ତାହା ତୁମ୍ଭର ବାମ ହସ୍ତ ନ ଜାଣୁ, 4ଯେପରି ତୁମ୍ଭର ଦାନ ଗୋପନରେ ହେବ, ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ।
The Lord's prayer
5ପ୍ରାର୍ଥନା କରିବା ସମୟରେ କପଟୀମାନଙ୍କ ପରି ହୁଅ ନାହିଁ, କାରଣ ସେମାନେ ଲୋକ ଦେଖାଇବା ପାଇଁ ସମାଜଗୃହ ଓ ଛକକୋଣରେ ଠିଆ ହୋଇ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି। 6କିନ୍ତୁ ତୁମ୍ଭେ ପ୍ରାର୍ଥନା କରିବା ସମୟରେ ତୁମ୍ଭର ଗୁପ୍ତ କୋଠରୀରେ ପ୍ରବେଶ କର, ପୁଣି, ତୁମ୍ଭର ଦ୍ୱାର ବନ୍ଦ କରି ଗୋପନରେ ଥିବା ତୁମ୍ଭ ପିତାଙ୍କ ଛାମୁରେ ପ୍ରାର୍ଥନା କର; ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ। 7ପୁଣି, ପ୍ରାର୍ଥନା କରିବା ସମୟରେ ଅଣଯିହୁଦୀମାନଙ୍କ ପରି ଅନାବଶ୍ୟକ ପୁନରୁକ୍ତି କର ନାହିଁ, କାରଣ ସେମାନେ ବହୁତ କଥା କହିବାରୁ ସେମାନଙ୍କ ପ୍ରାର୍ଥନା ଶୁଣାଯିବ ବୋଲି ମନେ କରନ୍ତି। 8ଏଣୁ ସେମାନଙ୍କ ପରି ହୁଅ ନାହିଁ, କାରଣ ତୁମ୍ଭମାନଙ୍କର କଅଣ ପ୍ରୟୋଜନ, ମାଗିବା ପୂର୍ବରୁ ତୁମ୍ଭମାନଙ୍କର ପିତା ଈଶ୍ବର ତାହା ଜାଣନ୍ତି। 9ଅତଏବ ତୁମ୍ଭେମାନେ ଏହି ପ୍ରକାରେ ପ୍ରାର୍ଥନା କର, ‘ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ। 10ତୁମ୍ଭର ରାଜ୍ୟ ଆସୁ। ଯେପରି ସ୍ୱର୍ଗରେ, ସେହିପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ। 11ଆଜି ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ। 12ଆମ୍ଭେମାନେ ଯେପରି ଆପଣା ଆପଣା ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେପରି ଆମ୍ଭମାନଙ୍କର ଅପରାଧସବୁ କ୍ଷମା କର।
13ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ ରକ୍ଷା କର। [ଯେଣୁ ରାଜ୍ୟ, ପରାକ୍ରମ ଓ ଗୌରବ ଯୁଗେ ଯୁଗେ ତୁମ୍ଭର। ଆମେନ୍।]’ 14କାରଣ ଯେବେ ଲୋକମାନଙ୍କର ଅପରାଧସବୁ କ୍ଷମା କର, ତେବେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ତୁମ୍ଭମାନଙ୍କୁ ମଧ୍ୟ କ୍ଷମା କରିବେ; 15କିନ୍ତୁ ଯେବେ ଲୋକମାନଙ୍କୁ କ୍ଷମା ନ କର, ତେବେ ତୁମ୍ଭମାନଙ୍କ ପିତା ମଧ୍ୟ ତୁମ୍ଭମାନଙ୍କ ଅପରାଧସବୁ କ୍ଷମା କରିବେ ନାହିଁ।
Fasting in secret
16ଉପବାସ କରିବା ସମୟରେ କପଟୀମାନଙ୍କ ପରି ବିଷର୍ଣ୍ଣବଦନ ହୁଅ ନାହିଁ, କାରଣ ସେମାନେ ଉପବାସ କରୁଅଛନ୍ତି ବୋଲି ଲୋକମାନଙ୍କ ଆଗରେ ଦେଖାଇବା ପାଇଁ ଆପଣା ଆପଣା ମୁଖ ମଳିନ କରନ୍ତି; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି। 17କିନ୍ତୁ ତୁମ୍ଭେ ଉପବାସ କରିବା ସମୟରେ ତୁମ୍ଭ ମସ୍ତକରେ ତୈଳ ଲଗାଅ ଓ ମୁଖ ପ୍ରକ୍ଷାଳନ କର, 18ଯେପରି ତୁମ୍ଭେ ଉପବାସ କରୁଅଛ ବୋଲି ଲୋକଙ୍କ ସାକ୍ଷାତରେ ଦେଖା ନ ଯାଇ ବରଂ ଗୋପନରେ ଥିବା ତୁମ୍ଭ ପିତାଙ୍କ ନିକଟରେ ଦେଖାଯିବ; ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ।
Treasure in heaven
19ଯେଉଁଠାରେ କୀଟ ଓ କଳଙ୍କ କ୍ଷୟ କରେ ପୁଣି, ଚୋରମାନେ ସିନ୍ଧି କାଟି ଚୋରି କରନ୍ତି, ଏପରି ପୃଥିବୀରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର ନାହିଁ; 20ମାତ୍ର ଯେଉଁଠାରେ କୀଟ ଓ କଳଙ୍କ ନଷ୍ଟ ନ କରେ ଏବଂ ଚୋରମାନେ ସିନ୍ଧି କାଟି ଚୋରି ନ କରନ୍ତି, ଏପରି ସ୍ୱର୍ଗରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର, 21କାରଣ ଯେଉଁଠାରେ ତୁମ୍ଭର ଧନ, ସେହିଠାରେ ମଧ୍ୟ ତୁମ୍ଭର ମନ।
The eye is the lamp
22ଚକ୍ଷୁ ଶରୀରର ପ୍ରଦୀପ। ଏଣୁ ତୁମ୍ଭର ଚକ୍ଷୁ ଯେବେ ନିର୍ମଳ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ। 23କିନ୍ତୁ ତୁମ୍ଭର ଚକ୍ଷୁ ଯେବେ ଦୂଷିତ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଅନ୍ଧକାରମୟ ହେବ। ଅତଏବ ତୁମ୍ଭ ଅନ୍ତରସ୍ଥ ଜ୍ୟୋତିଃ ଯେବେ ଅନ୍ଧକାର ହୁଏ, ତେବେ ସେ ଅନ୍ଧକାର କେଡ଼େ ଘୋରତର! 24କୌଣସି ଲୋକ ଦୁଇ ପ୍ରଭୁଙ୍କର ଦାସ ହୋଇପାରେ ନାହିଁ; କାରଣ ସେ ଜଣଙ୍କୁ ଘୃଣା କରିବ ଓ ଅନ୍ୟ ଜଣକୁ ପ୍ରେମ କରିବ, ଅଥବା ଜଣଙ୍କ ପ୍ରତି ଅନୁରକ୍ତ ହେବ ଓ ଅନ୍ୟ ଜଣଙ୍କୁ ଅବଜ୍ଞା କରିବ। ତୁମ୍ଭେମାନେ ଈଶ୍ବର ଓ ଧନ ଉଭୟର ଦାସ ହୋଇପାର ନାହିଁ।
Do not be anxious
25ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଜୀବନ ନିମନ୍ତେ କଅଣ ଖାଇବ ବା କଅଣ ପିଇବ, କିଅବା କଅଣ ପିନ୍ଧିବ, ଏଭଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ। ଖାଦ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର କି ଶ୍ରେଷ୍ଠ ନୁହେଁ? 26ଆକାଶର ପକ୍ଷୀମାନଙ୍କୁ ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ କିଅବା ଅମାରରେ ସଞ୍ଚୟ କରନ୍ତି ନାହିଁ, ଆଉ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଖାଦ୍ୟ ଦିଅନ୍ତି। ତୁମ୍ଭେମାନେ କଅଣ ସେମାନଙ୍କଠାରୁ ଶ୍ରେଷ୍ଠ ନୁହଁ? 27ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁଷର ଗୋଟିଏ ମୁହୂର୍ତ୍ତ ମଧ୍ୟ ବୃଦ୍ଧି କରିପାରେ?
28ଆଉ ବସ୍ତ୍ର ନିମନ୍ତେ କାହିଁକି ଚିନ୍ତା କରୁଅଛ? କ୍ଷେତ୍ରର ପୁଷ୍ପଗୁଡ଼ିକ ବିଷୟରେ ଭାବି ଶିକ୍ଷା ଗ୍ରହଣ କର, ସେଗୁଡ଼ିକ କିପରି ବଢ଼ନ୍ତି; ସେ ସବୁ ପରିଶ୍ରମ କରନ୍ତି ନାହିଁ, କିମ୍ବା ସୂତା କାଟନ୍ତି ନାହିଁ, 29ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ଶଲୋମନ ସୁଦ୍ଧା ଆପଣାର ସମସ୍ତ ଐଶ୍ୱର୍ଯ୍ୟରେ ଏଗୁଡ଼ିକ ମଧ୍ୟରୁ ଗୋଟିକ ପରି ବିଭୂଷିତ ନ ଥିଲେ। 30କିନ୍ତୁ କ୍ଷେତର ଯେଉଁ ଘାସ ଆଜି ଅଛି, ଆଉ କାଲି ଚୁଲିରେ ପକାଯାଏ, ତାହାକୁ ଯେବେ ଈଶ୍ବର ଏପ୍ରକାର ବେଶ ଦିଅନ୍ତି, ତେବେ, ହେ ଅଳ୍ପ ବିଶ୍ୱାସୀମାନେ, ସେ ତୁମ୍ଭମାନଙ୍କୁ କି ଅଧିକ ନିଶ୍ଚିତରୂପେ ବସ୍ତ୍ର ନ ଦେବେ?
31ଏଣୁ କଅଣ ଖାଇବା? ଅବା କଅଣ ପିଇବା? କିଅବା କଅଣ ପିନ୍ଧିବା? ଏହା କହି ଚିନ୍ତିତ ହୁଅ ନାହିଁ। 32କାରଣ ଅଣଯିହୁଦୀମାନେ ଏହିସବୁ ବିଷୟ ଖୋଜି ବୁଲନ୍ତି। ଆଉ ଏହି ସମସ୍ତ ବିଷୟ ଯେ ତୁମ୍ଭମାନଙ୍କର ଆବଶ୍ୟକ, ତାହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଜାଣନ୍ତି। 33କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ। 34ଅତଏବ କାଲି ପାଇଁ ଚିନ୍ତିତ ହୁଅ ନାହିଁ, କାରଣ କାଲି ନିଜେ ନିଜ ପାଇଁ ଚିନ୍ତା କରିବ। ଆଜିର କଷ୍ଟ ଆଜି ପାଇଁ ଯଥେଷ୍ଟ।