Isaiah 28
Woe to the proud crown of Ephraim
1ଇଫ୍ରୟିମର ମତ୍ତ ଲୋକମାନଙ୍କର ଓ ଦ୍ରାକ୍ଷାରସରେ ପରାସ୍ତ ଲୋକମାନଙ୍କର ଦର୍ପସୂଚକ ମୁକୁଟ, ଫଳଶାଳୀ ଉପତ୍ୟକାର ମସ୍ତକରେ ଥିବା ତାହାର ସୁନ୍ଦର ଭୂଷଣ ସ୍ୱରୂପ ମ୍ଳାନପ୍ରାୟ ପୁଷ୍ପ, ସନ୍ତାପର ପାତ୍ର! 2ଦେଖ ପ୍ରଭୁଙ୍କର ଜଣେ ବଳବାନ ଓ ସାହସିକ ଲୋକ ଅଛି; ସେ ଶିଳାଯୁକ୍ତ ଝଡ଼ର, ପ୍ରଳୟକାରୀ ବତାସର ନ୍ୟାୟ, ଶୀଘ୍ର ଧାବମାନ ପ୍ରବଳ ଜଳର ଝଡ଼ ତୁଲ୍ୟ, ହସ୍ତ ଦ୍ୱାରା ଭୂମିରେ ନିକ୍ଷେପ କରିବ। 3ଇଫ୍ରୟିମର ମତ୍ତ ଲୋକମାନଙ୍କର ଦର୍ପସୂଚକ ମୁକୁଟ ପଦ ତଳେ ଦଳିତ ହେବ; 4ଆଉ, ଫଳଶାଳୀ ଉପତ୍ୟକାର ମସ୍ତକରେ ସ୍ଥିତ ତାହାର ସୁନ୍ଦର ଭୂଷଣର ମ୍ଳାନପ୍ରାୟ ପୁଷ୍ପ, ଗ୍ରୀଷ୍ମକାଳ ପୂର୍ବରେ ଆଦ୍ୟପକ୍ୱ ଡିମ୍ବିରି ଫଳ ତୁଲ୍ୟ ହେବ; ଯାହା କେହି ଦେଖିବାମାତ୍ର ଲକ୍ଷ୍ୟ କରେ ଓ ହସ୍ତରେ ଧରିବା ମାତ୍ର ଗ୍ରାସ କରେ। 5ସେହି ଦିନରେ ସୈନ୍ୟାଧିପତି ସଦାପ୍ରଭୁ ଆପଣା ଲୋକମାନଙ୍କ ଅବଶିଷ୍ଟାଂଶ ନିମନ୍ତେ ସୁନ୍ଦର ମୁକୁଟ ଓ ଶୋଭାକର କିରୀଟ ସ୍ୱରୂପ ହେବେ; 6ପୁଣି, ବିଚାର କରିବା ନିମନ୍ତେ ଉପବିଷ୍ଟ ଲୋକ ପ୍ରତି ବିଚାରଜନକ ଆତ୍ମା ଓ ଯେଉଁମାନେ ନଗର-ଦ୍ୱାରରେ ଯୁଦ୍ଧ ଫେରାଇ ଦିଅନ୍ତି, ସେମାନଙ୍କ ପ୍ରତି ବଳ ସ୍ୱରୂପ ହେବେ। 7ମାତ୍ର ଏମାନେ ହିଁ ଦ୍ରାକ୍ଷାରସରେ ଭ୍ରାନ୍ତ ହୋଇଅଛନ୍ତି ଓ ସୁରାପାନ ଦ୍ୱାରା ବିପଥରେ ଯାଇଅଛନ୍ତି; ଯାଜକ ଓ ଭବିଷ୍ୟଦ୍ବକ୍ତା ସୁରାପାନ ଦ୍ୱାରା ଭ୍ରାନ୍ତ ହୋଇଅଛନ୍ତି, ଦ୍ରାକ୍ଷାରସ ସେମାନଙ୍କୁ ଗ୍ରାସ କରିଅଛି, ସୁରାପାନ ଦ୍ୱାରା ସେମାନେ ବିପଥରେ ଯାଇଅଛନ୍ତି; ସେମାନେ ଦର୍ଶନରେ ଭ୍ରାନ୍ତ ହୁଅନ୍ତି, ବିଚାରରେ ଝୁଣ୍ଟି ପଡ଼ନ୍ତି। 8କାରଣ, ମେଜସବୁ ବାନ୍ତି ଓ ମଳରେ ପରିପୂର୍ଣ୍ଣ, କୌଣସି ପରିଷ୍କୃତ ସ୍ଥାନ ନାହିଁ।
9“ସେ କାହାକୁ ଜ୍ଞାନ ଶିକ୍ଷା ଦେବ? ସେ କାହାକୁ ସମାଚାର ବୁଝାଇ ଦେବ? କି ଦୁଗ୍ଧତ୍ୟାଗୀ ଓ ସ୍ତନ୍ୟପାନରୁ ନିବୃତ୍ତ ଶିଶୁମାନଙ୍କୁ? 10କାରଣ, ଏ ତ ବିଧି ଉପରେ ବିଧି, ବିଧି ଉପରେ ବିଧି; ଧାଡ଼ି ଉପରେ ଧାଡ଼ି, ଧାଡ଼ି ଉପରେ ଧାଡ଼ି; ଏଠି ଅଳ୍ପ, ସେଠି ଅଳ୍ପ।” 11ନା, ମାତ୍ର ସେ ବିଦେଶୀୟ ଓଷ୍ଠାଧର ଓ ପରଭାଷା ଦ୍ୱାରା ଏହି ଲୋକମାନଙ୍କୁ କଥା କହିବେ; 12ସେ ସେମାନଙ୍କୁ କହିଲେ, “ଏହି ବିଶ୍ରାମ, ତୁମ୍ଭେମାନେ କ୍ଳାନ୍ତ ଲୋକମାନଙ୍କୁ ବିଶ୍ରାମ ଦିଅନ୍ତି, ପୁଣି, ଏହି ତ ଆରାମ,” ମାତ୍ର ସେମାନେ ଶୁଣିବାକୁ ସମ୍ମତ ହେଲେ ନାହିଁ। 13ଏହେତୁ ସେମାନେ ଯେପରି ଯାଇ ପଶ୍ଚାତ୍ ପଡ଼ି ଭଗ୍ନ ହେବେ, ଫାନ୍ଦରେ ପଡ଼ିବେ ଓ ଧୃତ ହେବେ, ଏଥିପାଇଁ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କର ବାକ୍ୟ ବିଧି ଉପରେ ବିଧି, ବିଧି ଉପରେ ବିଧି; ଧାଡ଼ି ଉପରେ ଧାଡ଼ି, ଧାଡ଼ି ଉପରେ ଧାଡ଼ି; ଏଠି ଅଳ୍ପ, ସେଠି ଅଳ୍ପ ହେବ।
A tested stone in Zion
14ଏହେତୁ ହେ ଯିରୂଶାଲମସ୍ଥ ଲୋକମାନଙ୍କର ଶାସନକାରୀ ନିନ୍ଦକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ; 15ତୁମ୍ଭେମାନେ କହିଅଛ, “ଆମ୍ଭେମାନେ ମୃତ୍ୟୁୁ ସଙ୍ଗେ ନିୟମ କରିଅଛୁ ଓ ପାତାଳ ସଙ୍ଗେ ଆମ୍ଭମାନଙ୍କର ସନ୍ଧି ଅଛି; ଏହେତୁ ଜଳପ୍ରଳୟରୂପ କୋରଡ଼ା ଉପସ୍ଥିତ ହେବା ବେଳେ ତାହା ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ; କାରଣ ଆମ୍ଭେମାନେ ମିଥ୍ୟାକୁ ଆପଣାମାନଙ୍କର ଆଶ୍ରୟ କରିଅଛୁ ଓ ଅସତ୍ୟର ତଳେ ଆମ୍ଭେମାନେ ଆପଣାମାନଙ୍କୁ ଲୁଚାଇଅଛୁ,” 16ଏଥିପାଇଁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ଭିତ୍ତିମୂଳ ନିମନ୍ତେ ସିୟୋନରେ ଏକ ପ୍ରସ୍ତର, ପରୀକ୍ଷାସିଦ୍ଧ ପ୍ରସ୍ତର, ଦୃଢ଼ ଭିତ୍ତିମୂଳ ସ୍ୱରୂପ ବହୁମୂଲ୍ୟ କୋଣ-ପ୍ରସ୍ତର ସ୍ଥାପନ କରୁଅଛୁ; ଯେ ବିଶ୍ୱାସ କରେ, ସେ ଚଞ୍ଚଳ ହେବ ନାହିଁ। 17ପୁଣି, ଆମ୍ଭେ ନ୍ୟାୟ ବିଚାରକୁ ପରିମାଣ ରଜ୍ଜୁ ଓ ଧାର୍ମିକତାକୁ ଓଳମ କରିବା; ଆଉ, ଶିଳାବୃଷ୍ଟି ମିଥ୍ୟାରୂପ ଆଶ୍ରୟକୁ ବିନାଶ କରିବ ଓ ଜଳରାଶି ଲୁଚିବା ସ୍ଥାନକୁ ମଗ୍ନ କରିବ।” 18ପୁଣି, ମୃତ୍ୟୁୁ ସହିତ ତୁମ୍ଭମାନଙ୍କର କୃତ ନିୟମ ରହିତ କରାଯିବ ଓ ପାତାଳ ସଙ୍ଗେ ତୁମ୍ଭମାନଙ୍କ ସନ୍ଧି ସ୍ଥିର ରହିବ ନାହିଁ; ଜଳପ୍ରଳୟରୂପ କୋରଡ଼ା ଉପସ୍ଥିତ ହେବା ବେଳେ ତୁମ୍ଭେମାନେ ତଦ୍ଦ୍ୱାରା ଦଳିତ ହେବ। 19ତାହା ଯେତେ ଥର ଉପସ୍ଥିତ ହେବ, ସେତେଥର ତୁମ୍ଭମାନଙ୍କୁ ଧରିବ; କାରଣ ପ୍ରଭାତକୁ ପ୍ରଭାତ, ଦିବସ ଓ ରାତ୍ରି ତାହା ଉପସ୍ଥିତ ହେବ; ଆଉ, ସେହି ସମାଚାର ବୁଝିବାର କେବଳ ତ୍ରାସଜନକ ହେବ। 20କାରଣ, ଆପଣାକୁ ଲମ୍ବାଇବା ପାଇଁ ମନୁଷ୍ୟର ଶଯ୍ୟା ସାନ ଓ ଆପଣାକୁ ଘୋଡ଼ାଇବା ପାଇଁ ବସ୍ତ୍ର ଅଣଓସାର। 21ଯେହେତୁ ସଦାପ୍ରଭୁ, ଯେପରି ପରାସୀମ ପର୍ବତରେ, ସେହିପରି ଉଠିବେ, ଯେପରି ଗିବୀୟୋନ୍ର ତଳଭୂମିରେ, ସେହିପରି ସେ କ୍ରୋଧ କରିବେ; ତହିଁରେ ସେ ଆପଣାର କାର୍ଯ୍ୟ, ଆପଣାର ଅଦ୍ଭୁତ କାର୍ଯ୍ୟ ସିଦ୍ଧ କରିବେ ଓ ଆପଣାର ବ୍ୟାପାର ଓ ଆପଣାର ଅଦ୍ଭୁତ ବ୍ୟାପାର ସମ୍ପନ୍ନ କରିବେ।
22ଏହେତୁ ଏବେ ତୁମ୍ଭେମାନେ ନିନ୍ଦକ ହୁଅ ନାହିଁ, ପଛେ ଅବା ତୁମ୍ଭମାନଙ୍କର ବନ୍ଧନ ଦୃଢ଼ ହୁଏ; କାରଣ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ଆମ୍ଭେ ସମୁଦାୟ ପୃଥିବୀ ଉପରେ ଉଚ୍ଛିନ୍ନତାର, ନିରୂପିତ ଉଚ୍ଛିନ୍ନତାର କଥା ଶୁଣିଅଛୁ।
The farmer learns from God
23ତୁମ୍ଭେମାନେ କର୍ଣ୍ଣ ଦେଇ ଆମ୍ଭର ରବ ଶୁଣ; ମନୋଯୋଗ କରି ଆମ୍ଭର ବାକ୍ୟ ଶ୍ରବଣ କର। 24କୃଷକ ବୀଜ ବୁଣିବା ପାଇଁ କʼଣ ନିତ୍ୟ ହଳ ବୁଲାଏ? ସେ କʼଣ ନିତ୍ୟ ଶିଆର କରି ଆପଣାର ଭୂମିର ଟେଳା ଭାଙ୍ଗେ? 25ସେ କʼଣ ଭୂମିର ଉପରଭାଗ ସମାନ କଲା ଉତ୍ତାରେ କଳାଜୀରା ବିଞ୍ଚି ଦିଏ ନାହିଁ ଓ ଜୀରା ବୁଣେ ନାହିଁ ଓ ଧାଡ଼ି ଧାଡ଼ି କରି ଗହମ, ନିରୂପିତ ସ୍ଥାନରେ ଯବ ଓ କ୍ଷେତ୍ରର ସୀମାରେ କʼଣ ଜହ୍ନା ବୁଣେ ନାହିଁ?
26କାରଣ, ତାହାର ପରମେଶ୍ୱର ତାହାକୁ ଯଥାର୍ଥ ଉପଦେଶ ଦିଅନ୍ତି ଓ ସେ ତାହାକୁ ଶିଖାନ୍ତି। 27ଯେହେତୁ କଳାଜୀରା କୌଣସି ତୀକ୍ଷ୍ଣ ଅସ୍ତ୍ରରେ ମର୍ଦ୍ଦିତ ହୁଏ ନାହିଁ, କିଅବା ଜୀରା ଉପରେ ଶକଟ ଚକ୍ର ବୁଲାଯାଏ ନାହିଁ; ମାତ୍ର କଳାଜୀରା ଯଷ୍ଟିରେ ଓ ଜୀରା ଦଣ୍ଡରେ ପିଟାଯାଏ। 28ରୁଟିର ଶସ୍ୟ ଚୂର୍ଣ୍ଣ କରାଯାଏ; କାରଣ ସେ ଚିରକାଳ ତାହା ମର୍ଦ୍ଦନ କରିବ ନାହିଁ; ଆଉ, ଯଦ୍ୟପି ତାହାର ଶକଟ ଚକ୍ର ଓ ତାହାର ଅଶ୍ୱଗଣ ତାହା ଛିନ୍ନଭିନ୍ନ କରି ପକାନ୍ତି, ତଥାପି ସେ ତାହା ଚୂର୍ଣ୍ଣ କରେ ନାହିଁ। 29ଏହା ହିଁ ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ହୁଏ, ସେ ମନ୍ତ୍ରଣାରେ ଆଶ୍ଚର୍ଯ୍ୟ ଓ ଜ୍ଞାନରେ ମହାନ।