2 Samuel 3

The house of David grows stronger

1ଏଥିଉତ୍ତାରେ ଶାଉଲ ବଂଶ ଓ ଦାଉଦ ବଂଶ ମଧ୍ୟରେ ଦୀର୍ଘ କାଳ ଯୁଦ୍ଧ ହେଲା; ପୁଣି ଦାଉଦ ଧୀରେ ଧୀରେ ବଳବାନ ହେଲେ, ମାତ୍ର ଶାଉଲ ବଂଶ ଧୀରେ ଧୀରେ କ୍ଷୀଣ ହେଲେ। 2ପୁଣି ହିବ୍ରୋଣରେ ଦାଉଦଙ୍କର କେତେକ ପୁତ୍ର ଜାତ ହେଲେ; ତାଙ୍କର ପ୍ରଥମଜାତ ଅମ୍ନୋନ, ସେ ଯିଷ୍ରିୟେଲୀୟା ଅହୀନୋୟମ୍‍ଠାରୁ ଜାତ; 3ପୁଣି ଦ୍ୱିତୀୟ ପୁତ୍ର କିଲାବ୍‍, ସେ କର୍ମିଲୀୟ ନାବଲର ଭାର୍ଯ୍ୟା ଅବୀଗଲଠାରୁ ଜାତ, ପୁଣି ତୃତୀୟ ଅବଶାଲୋମ, ସେ ଗଶୂରର ରାଜା ତଲ୍ମୟର କନ୍ୟା ମାଖାର ପୁତ୍ର। 4ପୁଣି ଚତୁର୍ଥ ଅଦୋନୀୟ, ସେ ହଗୀତର ପୁତ୍ର; ପୁଣି ପଞ୍ଚମ ଶଫଟୀୟ, ସେ ଅବିଟଲର ପୁତ୍ର। 5ଷଷ୍ଠ ଯିତ୍ରୀୟମ, ସେ ଦାଉଦଙ୍କର ଭାର୍ଯ୍ୟା ଇଗ୍ଲାର ପୁତ୍ର; ହିବ୍ରୋଣରେ ଦାଉଦଙ୍କର ଏହିସବୁ ପୁତ୍ର ଜାତ ହେଲେ।

Abner turns to David

6ଶାଉଲ ବଂଶ ଓ ଦାଉଦ ବଂଶ ମଧ୍ୟରେ ଯୁଦ୍ଧ ଲାଗିଥିବା ବେଳେ ଅବ୍‍ନର ଶାଉଲ ବଂଶ ମଧ୍ୟରେ ଆପଣାକୁ ବଳବାନ କଲା। 7ମାତ୍ର ଶାଉଲଙ୍କର ଏକ ଉପପତ୍ନୀ ଥିଲା, ତାହାର ନାମ ରିସ୍ପା, ସେ ଅୟାର କନ୍ୟା; ପୁଣି ଈଶ୍‍ବୋଶତ ଅବ୍‍ନରକୁ କହିଲା, “ତୁମ୍ଭେ କାହିଁକି ମୋହର ପିତାଙ୍କ ଉପପତ୍ନୀ ସହିତ ସହବାସ କଲ?” 8ତେବେ ଅବ୍‍ନର ଈଶ୍‍ବୋଶତର କଥା ସକାଶୁ ଅତି କ୍ରୋଧ କରି କହିଲା, “ମୁଁ କି ଯିହୁଦାର କୁକ୍କୁର ମୁଣ୍ଡ? ମୁଁ ଆଜି ତୁମ୍ଭ ପିତା ଶାଉଲ ବଂଶକୁ ଓ ତାଙ୍କର ଭାଇ ଓ ବନ୍ଧୁମାନଙ୍କୁ ଦୟା କରୁଅଛି, ମଧ୍ୟ ତୁମ୍ଭକୁ ଦାଉଦ ହସ୍ତରେ ସମର୍ପଣ କରି ନାହିଁ, ତଥାପି ତୁମ୍ଭେ ଆଜି ଏହି ସ୍ତ୍ରୀ ବିଷୟରେ ମୋʼ ଉପରେ ଆରୋପ କରୁଅଛ?

9ଶାଉଲ ବଂଶରୁ ରାଜ୍ୟ ଅନ୍ତର କରିବାକୁ ଓ ଦାନ୍‍ଠାରୁ ବେର୍‍ଶେବା ପର୍ଯ୍ୟନ୍ତ ଇସ୍ରାଏଲ ଓ ଯିହୁଦା ଉପରେ ଦାଉଦଙ୍କର ସିଂହାସନ ସ୍ଥାପନ କରିବାକୁ, 10ସଦାପ୍ରଭୁ ଦାଉଦଙ୍କ ବିଷୟରେ ଯେଉଁ ଶପଥ କରିଅଛନ୍ତି, ତଦନୁସାରେ ଯଦି ମୁଁ ତାଙ୍କ ପ୍ରତି ନ କରେ, ତେବେ ପରମେଶ୍ୱର ଅବ୍‍ନରକୁ ସେହି ଦଣ୍ଡ ଓ ତହିଁରୁ ଅଧିକ ଦିଅନ୍ତୁ।” 11ତହିଁରେ ସେ ଅବ୍‍ନରକୁ ଗୋଟିଏ କଥା ଉତ୍ତର ଦେଇ ପାରିଲା ନାହିଁ, କାରଣ ସେ ତାହାକୁ ଭୟ କଲା। 12ଏଉତ୍ତାରେ ଅବ୍‍ନର ଆପଣା ପକ୍ଷରୁ ଦାଉଦଙ୍କ ନିକଟକୁ ବାର୍ତ୍ତାବହ ପଠାଇ କହିଲା, “ଏ ଦେଶ କାହାର?” ଆହୁରି କହିଲା, “ଆପଣ ମୋʼ ସଙ୍ଗରେ ନିୟମ କରନ୍ତୁ, ତହିଁରେ ଦେଖନ୍ତୁ, ସମସ୍ତ ଇସ୍ରାଏଲକୁ ଆପଣଙ୍କ ନିକଟକୁ ଆଣିବା ପାଇଁ ମୋʼ ହସ୍ତ ଆପଣଙ୍କର ସହାୟ ହେବ।” 13ଏଥିରେ ଦାଉଦ କହିଲେ, “ଭଲ; ମୁଁ ତୁମ୍ଭ ସଙ୍ଗରେ ନିୟମ କରିବି; ମାତ୍ର ମୁଁ ତୁମ୍ଭଠାରୁ ଗୋଟିଏ କଥା ଚାହେଁ, ତାହା ଏହି, ତୁମ୍ଭେ ମୋʼ ମୁଖ ଦେଖିବାକୁ ଆସିବା ବେଳେ ପ୍ରଥମେ ଶାଉଲଙ୍କର କନ୍ୟା ମୀଖଲକୁ ନ ଆଣିଲେ ମୋʼ ମୁଖ ଦେଖି ପାରିବ ନାହିଁ।” 14ତହୁଁ ଦାଉଦ ଶାଉଲଙ୍କର ପୁତ୍ର ଈଶ୍‍ବୋଶତ ନିକଟକୁ ବାର୍ତ୍ତାବହମାନଙ୍କୁ ପଠାଇ କହିଲେ, “ମୁଁ ପଲେଷ୍ଟୀୟମାନଙ୍କର ଏକ ଶହ ସୁନ୍ନତ ଚର୍ମ ଦେଇ ଯାହାକୁ ବିବାହ କରିଅଛି, ମୋହର ଭାର୍ଯ୍ୟା ସେହି ମୀଖଲକୁ ମୋତେ ଦିଅ।” 15ତହିଁରେ ଈଶ୍‍ବୋଶତ ଲୋକ ପଠାଇ ଲୟିଶର ପୁତ୍ର ପଲ୍ଟୀୟେଲ ନାମକ ତାହାର ସ୍ୱାମୀ ନିକଟରୁ ମୀଖଲକୁ ନେଲା। 16ଏଣୁ ତାହାର ସ୍ୱାମୀ ରୋଦନ କରି କରି ତାହା ସଙ୍ଗେ ଆସି ବହୁରୀମ ନଗର ପର୍ଯ୍ୟନ୍ତ ତାହା ପଛେ ପଛେ ଗଲା। ଏଥିରେ ଅବ୍‍ନର ତାହାକୁ କହିଲା, “ଯାଅ ଗୃହକୁ ଫେରିଯାଅ,” ତହୁଁ ସେ ଫେରିଗଲା।

17ଏଥିଉତ୍ତାରେ ଅବ୍‍ନର ଇସ୍ରାଏଲର ପ୍ରାଚୀନବର୍ଗ ସହିତ ଏରୂପ କଥାବାର୍ତ୍ତା କଲା, “ପୂର୍ବରେ ତୁମ୍ଭେମାନେ ଆପଣାମାନଙ୍କ ଉପରେ ରାଜା ହେବା ପାଇଁ ଦାଉଦଙ୍କୁ ଚାହିଁ ଥିଲ; 18ଏବେ ତାହା କର; କାରଣ ସଦାପ୍ରଭୁ ଦାଉଦଙ୍କ ବିଷୟରେ କହିଅଛନ୍ତି, ‘ଆମ୍ଭେ ଆପଣା ଦାସ ଦାଉଦର ହସ୍ତ ଦ୍ୱାରା ଆପଣା ଇସ୍ରାଏଲ ଲୋକମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ଓ ସେମାନଙ୍କ ସମସ୍ତ ଶତ୍ରୁ ହସ୍ତରୁ ଉଦ୍ଧାର କରିବା।’” 19ଆଉ ଅବ୍‍ନର ବିନ୍ୟାମୀନ୍‍ର କର୍ଣ୍ଣଗୋଚରରେ ମଧ୍ୟ ସେହି କଥା କହିଲା; ପୁଣି ଇସ୍ରାଏଲ ଓ ବିନ୍ୟାମୀନ୍‍ର ସମସ୍ତ ବଂଶ ଦୃଷ୍ଟିରେ ଯାହା ଭଲ ଦେଖାଗଲା, ଅବ୍‍ନର ସେହି ସମସ୍ତ କଥା ଦାଉଦଙ୍କର କର୍ଣ୍ଣଗୋଚରରେ ମଧ୍ୟ କହିବା ପାଇଁ ହିବ୍ରୋଣକୁ ଯାତ୍ରା କଲା। 20ଏରୂପେ ଅବ୍‍ନର ଆପଣା ସଙ୍ଗରେ କୋଡ଼ିଏ ଜଣକୁ ନେଇ ହିବ୍ରୋଣରେ ଦାଉଦଙ୍କ ନିକଟରେ ଉପସ୍ଥିତ ହେଲା। ତହିଁରେ ଦାଉଦ ଅବ୍‍ନର ଓ ତାହାର ସଙ୍ଗୀ ଲୋକମାନଙ୍କ ପାଇଁ ଭୋଜ ପ୍ରସ୍ତୁତ କଲେ। 21ଏଉତ୍ତାରେ ଅବ୍‍ନର ଦାଉଦଙ୍କୁ କହିଲା, “ମୁଁ ଉଠିଯାଇ ସମସ୍ତ ଇସ୍ରାଏଲକୁ ମୋହର ପ୍ରଭୁ ମହାରାଜଙ୍କ ନିକଟରେ ସଂଗ୍ରହ କରିବି; ତହିଁରେ ସେମାନେ ଆପଣଙ୍କ ସହିତ ନିୟମ କରିବେ ଓ ଆପଣ ସମସ୍ତଙ୍କ ଉପରେ ନିଜ ପ୍ରାଣର ଇଚ୍ଛାମତେ ରାଜତ୍ୱ କରିବେ।” ତହୁଁ ଦାଉଦ ଅବ୍‍ନରକୁ ବିଦାୟ କରନ୍ତେ, ସେ କୁଶଳରେ ପ୍ରସ୍ଥାନ କଲା।

Joab kills Abner

22ଏଉତ୍ତାରେ, ଦାଉଦଙ୍କର ସୈନ୍ୟଦଳ ଓ ଯୋୟାବ ପ୍ରଚୁର ଲୁଟିତ ଦ୍ରବ୍ୟ ସଙ୍ଗରେ ନେଇ ଆସିଲେ; ମାତ୍ର ଅବ୍‍ନର ହିବ୍ରୋଣରେ ଦାଉଦଙ୍କ ସଙ୍ଗରେ ନ ଥିଲା, କାରଣ ଦାଉଦ ତାହାକୁ ବିଦାୟ କରିବାରୁ ସେ କୁଶଳରେ ଯାଇଥିଲା। 23ଯୋୟାବ ଓ ତାହାର ସଙ୍ଗୀ ସୈନ୍ୟଦଳ ଉପସ୍ଥିତ ହୁଅନ୍ତେ, ଲୋକମାନେ ଯୋୟାବକୁ କହିଲେ, “ନେର୍‍ର ପୁତ୍ର ଅବ୍‍ନର ରାଜାଙ୍କ ନିକଟକୁ ଆସିଥିଲା ଓ ସେ ତାହାକୁ ବିଦାୟ କରିବାରୁ ସେ କୁଶଳରେ ଯାଇଅଛି।” 24ଏଥିରେ ଯୋୟାବ ରାଜାଙ୍କ ନିକଟକୁ ଆସି କହିଲା, “ଆପଣ କଅଣ କଲେ? ଦେଖନ୍ତୁ, ଅବ୍‍ନର ଆପଣଙ୍କ ନିକଟକୁ ଆସିଥିଲା, ଆପଣ କାହିଁକି ତାହାକୁ ବିଦାୟ କରିଦେଲେ, ସେ ତ ଗଲାଣି?

25ଆପଣ କʼଣ ଜାଣନ୍ତି ନାହିଁ, ନେର୍‍ର ପୁତ୍ର ଅବ୍‍ନର ଆପଣଙ୍କୁ ଭୁଲାଇବାକୁ ଓ ଆପଣଙ୍କ ଗମନାଗମନ ଜାଣିବାକୁ ଓ ଆପଣ ଯାହା ଯାହା କରନ୍ତି, ସେହି ସବୁ ଜାଣିବାକୁ ଆସିଥିଲା?” 26ଏଉତ୍ତାରେ ଯୋୟାବ ଦାଉଦଙ୍କ ନିକଟରୁ ବାହାରି ଆସି ଅବ୍‍ନରର ପଛରେ ବାର୍ତ୍ତାବହ ପଠାନ୍ତେ, ସେମାନେ ସିରା କୂପ ନିକଟରୁ ତାହାକୁ ଫେରାଇ ଆଣିଲେ; ମାତ୍ର ଦାଉଦ ଏହା ଜାଣିଲେ ନାହିଁ। 27ପୁଣି ଅବ୍‍ନର ହିବ୍ରୋଣକୁ ଫେରି ଆସନ୍ତେ, ଯୋୟାବ ତାହା ସଙ୍ଗରେ ନିରୋଳାରେ ଆଳାପ କରିବା ପାଇଁ ତାହାକୁ ନଗରର ଦ୍ୱାର ଭିତରକୁ ନେଇଗଲା, ମାତ୍ର ଆପଣା ଭାଇ ଅସାହେଲର ରକ୍ତପାତ ସକାଶୁ ତାହାର ପେଟରେ ଆଘାତ କରନ୍ତେ, ସେ ମଲା। 28ଏଥିଉତ୍ତାରେ ଦାଉଦ ତାହା ଶୁଣି କହିଲେ, “ନେର୍‍ର ପୁତ୍ର ଅବ୍‍ନରର ରକ୍ତପାତ ବିଷୟରେ ମୁଁ ଓ ମୋହର ରାଜ୍ୟ ସଦାପ୍ରଭୁଙ୍କ ସାକ୍ଷାତରେ ଅନନ୍ତକାଳ ନିର୍ଦ୍ଦୋଷ; 29ତାହା ଯୋୟାବର ମସ୍ତକରେ ଓ ତାହାର ପିତୃବଂଶ ସମସ୍ତଙ୍କ ଉପରେ ବର୍ତ୍ତୁ ଓ ଯୋୟାବ-ବଂଶରେ ପ୍ରମେହୀ କି କୁଷ୍ଠୀ କି ଯଷ୍ଟିରେ ନିର୍ଭରଶୀଳ କି ଖଡ୍ଗହତ କି ଭକ୍ଷ୍ୟହୀନ ଲୋକର ଅଭାବ ନ ହେଉ।” 30ଏହିରୂପେ ଯୋୟାବ ଓ ତାହାର ଭାଇ ଅବୀଶୟ, ଅବ୍‍ନରକୁ ବଧ କଲେ; ଯେହେତୁ ସେ ଗିବୀୟୋନ୍‍ରେ ଯୁଦ୍ଧ ସମୟରେ ସେମାନଙ୍କ ଭାଇ ଅସାହେଲକୁ ମାରିଥିଲା।

David mourns for Abner

31ଏଥିଉତ୍ତାରେ ଦାଉଦ ଯୋୟାବକୁ ଓ ତାହାର ସଙ୍ଗୀ ଲୋକ ସମସ୍ତଙ୍କୁ କହିଲେ, “ତୁମ୍ଭେମାନେ ଆପଣା ଆପଣା ବସ୍ତ୍ର ଚିରି ଅଖା ପିନ୍ଧ ଓ ଅବ୍‍ନରର ଆଗେ ଆଗେ ଶୋକ କରି ଚାଲ।” ପୁଣି ଦାଉଦ ରାଜା ଶବଶଯ୍ୟାର ପଛେ ପଛେ ଚାଲିଲେ। 32ଆଉ ସେମାନେ ହିବ୍ରୋଣରେ ଅବ୍‍ନରକୁ କବର ଦେଲେ ଓ ରାଜା ରବ ଉଠାଇ ଅବ୍‍ନର-କବର ନିକଟରେ ରୋଦନ କଲେ ଓ ସମସ୍ତ ଲୋକ ମଧ୍ୟ ରୋଦନ କଲେ। 33ପୁଣି ରାଜା ଅବ୍‍ନର ପାଇଁ ବିଳାପ କରି କହିଲେ, “ଯେପରି ମୂଢ଼ ମରେ, ସେପରି କି ଅବ୍‍ନରକୁ ମରିବାକୁ ହେଲା?

34ତୁମ୍ଭ ହାତ ବନ୍ଧା ନ ଥିଲା, କି ବେଡ଼ିରେ ତୁମ୍ଭ ପାଦ ବନ୍ଧା ନ ଥିଲା; ଯେପରି ମନୁଷ୍ୟ ଅଧର୍ମୀ-ସନ୍ତାନମାନଙ୍କ ଆଗରେ ପଡ଼େ, ସେପରି ତୁମ୍ଭେ ପଡ଼ିଲ।” ଏଥିରେ ସମସ୍ତ ଲୋକ ପୁନର୍ବାର ତାହା ପାଇଁ ରୋଦନ କଲେ। 35ଏଉତ୍ତାରେ ଦିନ ଥାଉ ଥାଉ ଦାଉଦଙ୍କୁ ଭୋଜନ କରାଇବା ନିମନ୍ତେ ସମସ୍ତ ଲୋକ ଆସିଲେ; ମାତ୍ର ଦାଉଦ ଶପଥ କରି କହିଲେ, “ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଯେବେ ମୁଁ ରୁଟି କି ଆଉ କିଛି ସ୍ପର୍ଶ କରେ, ତେବେ ପରମେଶ୍ୱର ମୋତେ ସେହି ଦଣ୍ଡ ଓ ତହିଁରୁ ଅଧିକ ଦିଅନ୍ତୁ।” 36ତହିଁରେ ସମସ୍ତ ଲୋକ ବୁଝିଲେ ଓ ତାହା ସେମାନଙ୍କ ଦୃଷ୍ଟିରେ ଭଲ ଦେଖାଗଲା; ରାଜା ମଧ୍ୟ ଯାହା ଯାହା କଲେ, ତାହାସବୁ ସମସ୍ତ ଲୋକଙ୍କ ଦୃଷ୍ଟିରେ ଭଲ ଥିଲା। 37ଏହିରୂପେ ନେର୍‍ର ପୁତ୍ର ଅବ୍‍ନରକୁ ବଧ କରାଇବା ଯେ ରାଜାଙ୍କ ଆଡ଼ୁ ହୋଇ ନାହିଁ, ଏହା ସମସ୍ତ ଲୋକ ଓ ସମୁଦାୟ ଇସ୍ରାଏଲ ସେହି ଦିନ ଜାଣିଲେ। 38ଆହୁରି ରାଜା ଆପଣା ଦାସମାନଙ୍କୁ କହିଲେ, “ଆଜି ଇସ୍ରାଏଲ ମଧ୍ୟରେ ଜଣେ ଅଧିପତି ଓ ମହାନ ପୁରୁଷ ଯେ ପତିତ ହେଲା, ଏହା କି ତୁମ୍ଭେମାନେ ଜାଣ ନାହିଁ?

39ଏଣୁ ମୁଁ ରାଜାଭିଷିକ୍ତ ହେଲେ ହେଁ ଆଜି ଦୁର୍ବଳ ହେଲି; ଏହି ପୁରୁଷମାନେ, ଅର୍ଥାତ୍‍, ସରୁୟାର ପୁତ୍ରମାନେ ଆମ୍ଭ ପ୍ରତି ନିଷ୍ଠୁର; ସଦାପ୍ରଭୁ ଏହି କୁକ୍ରିୟାକାରୀକୁ ତାହାର କୁକର୍ମ ଅନୁସାରେ ପ୍ରତିଫଳ ଦିଅନ୍ତୁ।”

Copied!
Aa