2 Chronicles 22

Ahaziah reigns in Judah

1ଏଥିଉତ୍ତାରେ ଯିରୂଶାଲମ ନିବାସୀମାନେ ତାଙ୍କର କନିଷ୍ଠ ପୁତ୍ର ଅହସୀୟଙ୍କୁ ତାଙ୍କ ପଦରେ ରାଜା କଲେ; କାରଣ ଆରବୀୟମାନଙ୍କ ସହିତ ଯେଉଁ ଲୋକଦଳ ଛାଉଣିକୁ ଆସିଥିଲେ, ସେମାନେ ଜ୍ୟେଷ୍ଠ ସମସ୍ତଙ୍କୁ ବଧ କରିଥିଲେ। ଏହେତୁ ଯିହୁଦାର ରାଜା ଯିହୋରାମ୍‍ଙ୍କର ପୁତ୍ର ଅହସୀୟ ରାଜ୍ୟ କଲେ। 2ଅହସୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବୟାଳିଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଏକ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କର ନାମ ଅଥଲୀୟା, ସେ ଅମ୍ରିରର କନ୍ୟା ଥିଲେ। 3ଅହସୀୟ ଆହାବ-ବଂଶର ପଥରେ ଗମନ କଲେ; କାରଣ ଦୁଷ୍କର୍ମ କରିବା ପାଇଁ ତାଙ୍କର ମାତା ତାଙ୍କର ମନ୍ତ୍ରଣାଦାୟିନୀ ଥିଲେ। 4ତହିଁରେ ସେ ଆହାବ-ବଂଶ ଅନୁଯାୟୀ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; କାରଣ ତାଙ୍କର ପିତାଙ୍କ ମୃତ୍ୟୁୁ ଉତ୍ତାରେ ସେମାନେ ତାଙ୍କ ବିନାଶାର୍ଥେ ତାଙ୍କର ପରାମର୍ଶଦାତା ଥିଲେ। 5ମଧ୍ୟ ସେ ସେମାନଙ୍କ ପରାମର୍ଶନୁସାରେ ଚାଲିଲେ, ପୁଣି ସେ ଇସ୍ରାଏଲର ରାଜା ଆହାବଙ୍କର ପୁତ୍ର ଯିହୋରାମ୍‍ଙ୍କ ସଙ୍ଗେ ରାମୋତ୍‍-ଗିଲୀୟଦରେ ଅରାମର ରାଜା ହସାୟେଲ ପ୍ରତିକୂଳରେ ଯୁଦ୍ଧ କରିବାକୁ ଗଲେ; ତହିଁରେ ଅରାମୀୟମାନେ ଯୋରାମ୍‍ଙ୍କୁ କ୍ଷତବିକ୍ଷତ କଲେ। 6ଏଣୁ ସେ ଅରାମର ରାଜା ହସାୟେଲ ପ୍ରତିକୂଳରେ ଯୁଦ୍ଧ କରିବା ବେଳେ ରାମାରେ ଯେଉଁ ଆଘାତ ପାଇଥିଲେ, ତହିଁରୁ ଆରୋଗ୍ୟ ପାଇବା ନିମନ୍ତେ ଯିଷ୍ରିୟେଲକୁ ଫେରିଗଲେ। ପୁଣି, ଆହାବଙ୍କର ପୁତ୍ର ଯିହୋରାମ୍‍ ପୀଡ଼ିତ ହେବା ସକାଶୁ ଯିହୁଦାର ରାଜା ଯିହୋରାମ୍‍ଙ୍କର ପୁତ୍ର ଅସରୀୟ ଯିଷ୍ରିୟେଲରେ ତାଙ୍କୁ ଦେଖିବାକୁ ଗଲେ। 7ଅହସୀୟ ଯୋରାମ୍‍ଙ୍କ ନିକଟକୁ ଯିବା ସକାଶୁ ପରମେଶ୍ୱରଙ୍କ ଆଡ଼ୁ ତାଙ୍କର ବିନାଶ ଘଟିଲା; କାରଣ ଆହାବ ବଂଶକୁ ଉଚ୍ଛିନ୍ନ କରିବା ପାଇଁ ସଦାପ୍ରଭୁ ନିମ୍‍ଶିର ପୁତ୍ର ଯେଉଁ ଯେହୂଙ୍କୁ ଅଭିଷିକ୍ତ କରିଥିଲେ, ତାଙ୍କର ପ୍ରତିକୂଳରେ ସେ ଆସି ଯୋରାମ୍‍ଙ୍କ ସଙ୍ଗେ ଗଲେ।

The princes of Judah are killed

8ତହିଁରେ ଯେହୂ ଆହାବ-ବଂଶ ଉପରେ ଦଣ୍ଡାଜ୍ଞା ସଫଳ କରିବା ବେଳେ ସେ ଯିହୁଦାର ଅଧିପତିମାନଙ୍କୁ ଓ ଅହସୀୟଙ୍କର ପରିଚର୍ଯ୍ୟାକାରୀ ଅହସୀୟଙ୍କର ଭ୍ରାତୃପୁତ୍ରଗଣକୁ ପାଇ ବଧ କଲେ। 9ଏସମୟରେ ଅହସୀୟ ଶମରୀୟାରେ ଲୁଚିଥିଲେ, ତହିଁରେ ଯେହୂ ତାଙ୍କର ଅନ୍ୱେଷଣ କରନ୍ତେ, ଲୋକମାନେ ତାଙ୍କୁ ଧରି ଯେହୂଙ୍କ ନିକଟକୁ ଆଣି ତାଙ୍କୁ ବଧ କଲେ; ପୁଣି ଲୋକମାନେ ତାଙ୍କୁ କବର ଦେଲେ, କାରଣ ସେମାନେ କହିଲେ, “ଯେଉଁ ଯିହୋଶାଫଟ୍‍ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କର ଅନ୍ୱେଷଣ କଲେ, ଏ ତାଙ୍କର ସନ୍ତାନ।” ଏଉତ୍ତାରେ ଅହସୀୟଙ୍କ ବଂଶ ରାଜ୍ୟ ରଖିବାକୁ ସମର୍ଥ ହେଲେ ନାହିଁ।

Athaliah seizes the throne

10ଏଥିମଧ୍ୟରେ ଅହସୀୟଙ୍କର ମାତା ଅଥଲୀୟା ଆପଣା ପୁତ୍ରକୁ ମୃତ ଦେଖନ୍ତେ, ସେ ଉଠି ଯିହୁଦା-ଗୋଷ୍ଠୀର ସମସ୍ତ ରାଜବଂଶ ବିନାଶ କଲେ। 11ମାତ୍ର ରାଜାଙ୍କର କନ୍ୟା ଯିହୋଶାବତ୍‍ ଅହସୀୟଙ୍କର ପୁତ୍ର ଯୋୟାଶ୍‍ଙ୍କୁ ନେଇଗଲା ଓ ଯେଉଁ ରାଜପୁତ୍ରମାନେ ହତ ହେଲେ, ସେମାନଙ୍କ ମଧ୍ୟରୁ ତାଙ୍କୁ ଚୋରାଇ ନେଇ ତାଙ୍କୁ ଓ ତାଙ୍କର ଧାତ୍ରୀକୁ ଶୟନାଗାରରେ ରଖିଲା। ଏହିରୂପେ ଯିହୋୟାଦା ଯାଜକର ଭାର୍ଯ୍ୟା, ଯିହୋରାମ୍‍ ରାଜାଙ୍କର କନ୍ୟା, ଅହସୀୟଙ୍କର ଭଗିନୀ ଯିହୋଶାବତ୍‍, ଅଥଲୀୟାଙ୍କଠାରୁ ତାଙ୍କୁ ଲୁଚାଇଲା, ତେଣୁ ସେ ତାଙ୍କୁ ବଧ କରି ପାରିଲେ ନାହିଁ। 12ଏଉତ୍ତାରେ ଯୋୟାଶ୍‍ ସେମାନଙ୍କ ସଙ୍ଗେ ପରମେଶ୍ୱରଙ୍କ ଗୃହରେ ଛଅ ବର୍ଷ ରହିଲେ; ପୁଣି ଅଥଲୀୟା ଦେଶରେ ରାଜ୍ୟ କଲେ।

Copied!
Aa