2 Chronicles 15

The word of Azariah

1ଏଥିଉତ୍ତାରେ ପରମେଶ୍ୱରଙ୍କ ଆତ୍ମା ଓଦେଦ୍‍ର ପୁତ୍ର ଅସରୀୟ ଉପରେ ଅଧିଷ୍ଠାନ କଲେ; 2ତହୁଁ ସେ ଆସାଙ୍କ ସହିତ ସାକ୍ଷାତ କରିବାକୁ ଯାଇ ତାଙ୍କୁ କହିଲା, “ହେ ଆସା ଓ ସମଗ୍ର ଯିହୁଦା ଓ ବିନ୍ୟାମୀନ୍, ତୁମ୍ଭେମାନେ ମୋʼ କଥା ଶୁଣ; ତୁମ୍ଭେମାନେ ସଦାପ୍ରଭୁଙ୍କ ସଙ୍ଗେ ଥିବାଯାଏ ସେ ତୁମ୍ଭମାନଙ୍କ ସଙ୍ଗେ ଅଛନ୍ତି; ଯଦି ତୁମ୍ଭେମାନେ ତାହାଙ୍କ ଅନ୍ୱେଷଣ କରିବ, ତେବେ ତୁମ୍ଭେମାନେ ତାହାଙ୍କର ଉଦ୍ଦେଶ୍ୟ ପାଇବ; ମାତ୍ର ଯଦି ତୁମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରିବ, ତେବେ ସେ ତୁମ୍ଭମାନଙ୍କୁ ପରିତ୍ୟାଗ କରିବେ। 3ଇସ୍ରାଏଲ ବହୁ କାଳ ପର୍ଯ୍ୟନ୍ତ ସତ୍ୟ ପରମେଶ୍ୱର-ବିହୀନ ଓ ଶିକ୍ଷାଦାୟୀ-ଯାଜକବିହୀନ ଓ ବ୍ୟବସ୍ଥାବିହୀନ ହୋଇଥିଲେ। 4ମାତ୍ର ସେମାନେ ଆପଣାମାନଙ୍କ ଦୁର୍ଦ୍ଦଶା ସମୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତି ଫେରି ତାହାଙ୍କର ଅନ୍ୱେଷଣ କରନ୍ତେ, ତାହାଙ୍କର ଉଦ୍ଦେଶ୍ୟ ପାଇଲେ। 5ସେହି ସମୟରେ ବାହାରେ ଯିବା ଓ ଭିତରେ ଆସିବା ଲୋକର କିଛି ଶାନ୍ତି ନ ଥିଲା, ମାତ୍ର ଦେଶର ନିବାସୀ ସମସ୍ତେ ମହାତ୍ରାସଯୁକ୍ତ ଥିଲେ। 6ପୁଣି ସେମାନେ ଗୋଷ୍ଠୀ ବିରୁଦ୍ଧରେ ଗୋଷ୍ଠୀ ଓ ନଗର ବିରୁଦ୍ଧରେ ନଗର ଭିନ୍ନ ହୋଇଥିଲେ; କାରଣ ପରମେଶ୍ୱର ସର୍ବପ୍ରକାର ସଙ୍କଟ ଦ୍ୱାରା ସେମାନଙ୍କୁ ତ୍ରାସଯୁକ୍ତ କରିଥିଲେ। 7ମାତ୍ର ତୁମ୍ଭେମାନେ ବଳବାନ ହୁଅ ଓ ଆପଣାମାନଙ୍କ ହସ୍ତ ଶିଥିଳ ହେବାକୁ ନ ଦିଅ; କାରଣ ତୁମ୍ଭମାନଙ୍କ କର୍ମ ପୁରସ୍କୃତ ହେବ।”

The reforms of Asa

8ଏଥିରେ ଆସା ଏହିସବୁ କଥା ଓ ଓଦେଦ୍‍ ଭବିଷ୍ୟଦ୍‍ବକ୍ତାର ଭବିଷ୍ୟତ ବାକ୍ୟ ଶୁଣନ୍ତେ, ସାହସ ପାଇଲେ, ପୁଣି ଯିହୁଦା ଓ ବିନ୍ୟାମୀନ୍‍ର ସମୁଦାୟ ଦେଶରୁ ଓ ଇଫ୍ରୟିମର ପର୍ବତମୟ ଦେଶରେ ହସ୍ତଗତ କରିଥିବା ନଗରସବୁରୁ ଘୃଣାଯୋଗ୍ୟ ବସ୍ତୁସବୁ ଦୂର କଲେ; ଆଉ ସଦାପ୍ରଭୁଙ୍କ ବାରଣ୍ଡା ସମ୍ମୁଖସ୍ଥ ସଦାପ୍ରଭୁଙ୍କ ଯଜ୍ଞବେଦି ପୁନର୍ବାର ସଜାଡ଼ିଲେ। 9ଏଉତ୍ତାରେ ସେ ସମୁଦାୟ ଯିହୁଦା ଓ ବିନ୍ୟାମୀନ୍ ଲୋକଙ୍କୁ, ପୁଣି ଇଫ୍ରୟିମ ଓ ମନଃଶି ଓ ଶିମୀୟୋନ ମଧ୍ୟରୁ ସେମାନଙ୍କ ସହିତ ପ୍ରବାସକାରୀ ଲୋକମାନଙ୍କୁ ଏକତ୍ର କଲେ; କାରଣ ଇସ୍ରାଏଲ ମଧ୍ୟରୁ ଅନେକେ ସଦାପ୍ରଭୁ ତାଙ୍କର ପରମେଶ୍ୱର ତାଙ୍କର ସହବର୍ତ୍ତୀ ଅଛନ୍ତି ବୋଲି ଦେଖି ତାଙ୍କ ସପକ୍ଷ ହୋଇଥିଲେ। 10ଏହେତୁ ଆସାଙ୍କ ରାଜତ୍ଵର ପନ୍ଦର ବର୍ଷର ତୃତୀୟ ମାସରେ ଲୋକମାନେ ଯିରୂଶାଲମରେ ଏକତ୍ରିତ ହେଲେ। 11ଆଉ, ସେହି ଦିନ ସେମାନେ ଆପଣାମାନଙ୍କର ଆନୀତ ଲୁଟଦ୍ରବ୍ୟ ମଧ୍ୟରୁ ସାତ ଶହ ଗୋରୁ ଓ ସାତ ହଜାର ମେଷ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କଲେ 12ପୁଣି ସେମାନେ ଆପଣା ଆପଣା ସର୍ବାନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ଆପଣାମାନଙ୍କ ପିତୃଗଣର ପରମେଶ୍ୱରଙ୍କର ଅନ୍ୱେଷଣ କରିବାକୁ, 13ଆଉ ସାନ କି ବଡ଼, ପୁରୁଷ କି ସ୍ତ୍ରୀ, ଯେକେହି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଅନ୍ୱେଷଣ ନ କରିବ, ତାହାର ପ୍ରାଣଦଣ୍ଡ ହେବ ବୋଲି ନିୟମ କଲେ। 14ଆହୁରି ସେମାନେ ଉଚ୍ଚସ୍ୱରରେ ଜୟଧ୍ୱନି କରି ତୂରୀ ଓ ଶୃଙ୍ଗ ବଜାଇ ସଦାପ୍ରଭୁଙ୍କ ନିକଟରେ ଶପଥ କଲେ। 15ତହିଁରେ ସମଗ୍ର ଯିହୁଦା ସେହି ଶପଥରେ ଆନନ୍ଦ କଲେ; କାରଣ ସେମାନେ ଆପଣା ଆପଣାର ସମସ୍ତ ଅନ୍ତଃକରଣ ସହିତ ଶପଥ କରିଥିଲେ ଓ ଆପଣା ଆପଣାର ସମ୍ପୂର୍ଣ୍ଣ ଇଚ୍ଛାରେ ତାହାଙ୍କର ଅନ୍ୱେଷଣ କଲେ, ଏଣୁ ସେମାନେ ତାହାଙ୍କର ଉଦ୍ଦେଶ୍ୟ ପାଇଲେ; ପୁଣି ସଦାପ୍ରଭୁ ସେମାନଙ୍କୁ ଚତୁର୍ଦ୍ଦିଗରେ ବିଶ୍ରାମ ଦେଲେ।

16ମଧ୍ୟ ଆସା ରାଜାଙ୍କର ମାତାମହୀ ମାଖା ଆଶେରା ଦେବୀ ରୂପେ ଏକ ଘୃଣାଯୋଗ୍ୟ ପ୍ରତିମା ନିର୍ମାଣ କରିଥିବାରୁ ସେ ତାହାକୁ ରାଣୀପଦରୁ ଚ୍ୟୁତ କଲେ ଓ ଆସା ତାହାର ସେହି ପ୍ରତିମା ଛେଦନ କରି ଚୂର୍ଣ୍ଣ କଲେ ଓ କିଦ୍ରୋଣ ନଦୀ ନିକଟରେ ତାହା ପୋଡ଼ି ପକାଇଲେ। 17ମାତ୍ର ଉଚ୍ଚସ୍ଥଳୀସକଳ ଇସ୍ରାଏଲ ମଧ୍ୟରୁ ଦୂରୀକୃତ ନୋହିଲା; ତଥାପି ଆସାଙ୍କର ଯାବଜ୍ଜୀବନ ତାଙ୍କର ଅନ୍ତଃକରଣ ସିଦ୍ଧ ଥିଲା। 18ଆଉ ସେ ଆପଣା ପିତାଙ୍କର ପ୍ରତିଷ୍ଠିତ ବସ୍ତୁସବୁ ଓ ନିଜର ପ୍ରତିଷ୍ଠିତ ରୂପା ଓ ସୁନା ଓ ପାତ୍ରସବୁ ପରମେଶ୍ୱରଙ୍କ ଗୃହକୁ ଆଣିଲେ। 19ପୁଣି, ଆସାଙ୍କ ରାଜତ୍ଵର ପଞ୍ଚତିରିଶ ବର୍ଷ ପର୍ଯ୍ୟନ୍ତ ଆଉ ଯୁଦ୍ଧ ହେଲା ନାହିଁ।

Copied!
Aa