Lukas 18
Die beharrliche Witwe
1କ୍ଳାନ୍ତ ନ ହୋଇ ସର୍ବଦା ପ୍ରାର୍ଥନା କରିବା ଯେ କର୍ତ୍ତବ୍ୟ, ଏହି ବିଷୟରେ ଯୀଶୁ ଶିଷ୍ୟମାନଙ୍କୁ ଦୃଷ୍ଟାନ୍ତ ଦେଇ କହିଲେ, 2“ଗୋଟିଏ ନଗରରେ ଜଣେ ବିଚାରକର୍ତ୍ତା ଥିଲେ, ସେ ଈଶ୍ବରଙ୍କୁ ଭୟ କରୁ ନ ଥିଲେ କି ମନୁଷ୍ୟକୁ ମାନୁ ନ ଥିଲେ। 3ସେହି ନଗରରେ ଜଣେ ବିଧବା ଥିଲା, ତାହା ପ୍ରତି ଅନ୍ୟାୟ କରିଥିବା ଲୋକ ବିରୁଦ୍ଧରେ ବିଚାର ନିଷ୍ପତ୍ତି କରିବା ପାଇଁ ସେ ଥରକୁଥର ବିଚାରକର୍ତ୍ତାଙ୍କ ନିକଟକୁ ଯାଇ କହୁଥିଲା। 4ଆଉ ସେ କେତେ ସମୟ ପର୍ଯ୍ୟନ୍ତ ସହମତ ହେଉ ନ ଥିଲେ; କିନ୍ତୁ ପରେ ସେ ମନେ ମନେ କହିଲେ, ‘ଯଦିବା ମୁଁ ଈଶ୍ବରଙ୍କୁ ଭୟ କରେ ନାହିଁ କିମ୍ବା ମନୁଷ୍ୟକୁ ମାନେ ନାହିଁ, 5ତଥାପି ଏହି ବିଧବାଟା ମୋତେ କଷ୍ଟ ଦେଉଥିବାରୁ ମୁଁ ତାହା ପ୍ରତି କରାଯାଇଥିବା ଅନ୍ୟାୟର ବିଚାର କରିବି, ନୋହିଲେ ସେ ସବୁବେଳେ ଆସି ମୋତେ ବ୍ୟତିବ୍ୟସ୍ତ କରୁଥିବ।’” 6ସେଥିରେ ପ୍ରଭୁ କହିଲେ, “ଏହି ଅଧାର୍ମିକ ବିଚାରକର୍ତ୍ତା କଅଣ କହୁଅଛନ୍ତି, ତାହା ଶୁଣ। 7ତେବେ ଈଶ୍ବରଙ୍କର ଯେଉଁ ମନୋନୀତ ଲୋକମାନେ ଦିନରାତି ତାହାଙ୍କୁ ଡାକୁଥାଆନ୍ତି, ସେ କି ସେମାନଙ୍କର ପ୍ରତି କରାଯାଇଥିବା ଅନ୍ୟାୟର ପ୍ରତିକାର କରିବେ ନାହିଁ, ଯଦ୍ୟପି ସେ ସେମାନଙ୍କ ଶତ୍ରୁମାନଙ୍କ ପ୍ରତି ଦୀର୍ଘସହିଷ୍ଣୁ ଅଟନ୍ତି?
8ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଶୀଘ୍ର ସେମାନଙ୍କ ପ୍ରତି କରାଯାଇଥିବା ଅନ୍ୟାୟର ପ୍ରତିକାର କରିବେ। ତଥାପି ମନୁଷ୍ୟପୁତ୍ର ଆସି ପୃଥିବୀରେ କଅଣ ବିଶ୍ୱାସ ଦେଖିବେ?”
Der Pharisäer und der Zöllner
9ନିଜ ନିଜକୁ ଧାର୍ମିକ ମନେ କରି ଅନ୍ୟ ସମସ୍ତଙ୍କୁ ତୁଚ୍ଛ କରୁଥିବା କେତେକ ଆତ୍ମନିର୍ଭରଶୀଳ ଲୋକଙ୍କୁ ସେ ଏହି ଦୃଷ୍ଟାନ୍ତ ମଧ୍ୟ କହିଲେ, 10“ଦୁଇ ଜଣ ଲୋକ ପ୍ରାର୍ଥନା କରିବା ନିମନ୍ତେ ମନ୍ଦିରକୁ ଗଲେ, ଜଣେ ଫାରୂଶୀ ଓ ଅନ୍ୟ ଜଣକ କରଗ୍ରାହୀ। 11ଫାରୂଶୀ ଠିଆ ହୋଇ ଆପଣା ନିକଟରେ ଏହି ପ୍ରକାର ପ୍ରାର୍ଥନା କରିବାକୁ ଲାଗିଲେ, ‘ହେ ଈଶ୍ବର, ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି ଯେ, ମୁଁ ଅନ୍ୟ ସମସ୍ତ ଲୋକଙ୍କ ପରି ଅତ୍ୟାଚାରୀ, ଅଧାର୍ମିକ, ବ୍ୟଭିଚାରୀ କିମ୍ବା ଏହି କରଗ୍ରାହୀ ପରି ସୁଦ୍ଧା ନୁହେଁ; 12ମୁଁ ସପ୍ତାହରେ ଦୁଇ ଥର ଉପବାସ କରିଥାଏ ଓ ମୋହର ସମସ୍ତ ଆଦାୟର ଦଶମାଂଶ ଦେଇଥାଏ।’ 13କିନ୍ତୁ କରଗ୍ରାହୀ ଦୂରରେ ଠିଆ ହୋଇ ସ୍ୱର୍ଗ ଆଡ଼େ ଅନେଇବାକୁ ସୁଦ୍ଧା ସାହସ କଲା ନାହିଁ, କିନ୍ତୁ ନିଜ ଛାତିରେ ମାରିହୋଇ କହିବାକୁ ଲାଗିଲା, ‘ହେ ଈଶ୍ବର, ମୁଁ ପାପୀ ମୋତେ ଦୟା କରନ୍ତୁ।’ 14ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଲୋକ ନୁହେଁ, ବରଂ କର ଆଦାୟକାରୀ ଧାର୍ମିକ ଗଣିତ ହୋଇ ନିଜ ଘରକୁ ଚାଲିଗଲା; କାରଣ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, କିନ୍ତୁ ଯେ ଆପଣାକୁ ନତ କରେ, ତାହାକୁ ଉନ୍ନତ କରାଯିବ।”
Jesus segnet die Kinder
15ଯୀଶୁ ଯେପରି ଶିଶୁମାନଙ୍କୁ ସ୍ପର୍ଶ କରନ୍ତି, ଏଥିପାଇଁ ଲୋକେ ସେମାନଙ୍କୁ ମଧ୍ୟ ତାହାଙ୍କ ନିକଟକୁ ଆଣିବାକୁ ଲାଗିଲେ; ମାତ୍ର ଶିଷ୍ୟମାନେ ତାହା ଦେଖି ସେମାନଙ୍କୁ ଧମକ ଦେବାକୁ ଲାଗିଲେ। 16କିନ୍ତୁ ଯୀଶୁ ସେମାନଙ୍କୁ ଆପଣା ପାଖକୁ ଡାକି କହିଲେ, “ଶିଶୁମାନଙ୍କୁ ମୋ ନିକଟକୁ ଆସିବାକୁ ଦିଅ, ଆଉ ସେମାନଙ୍କୁ ମନା କର ନାହିଁ; କାରଣ ଈଶ୍ବରଙ୍କ ରାଜ୍ୟ ଏହି ପ୍ରକାର ଲୋକମାନଙ୍କର। 17ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ କେହି ଶିଶୁ ପରି ଈଶ୍ବରଙ୍କ ରାଜ୍ୟ ଗ୍ରହଣ ନ କରେ, ସେ କୌଣସି ପ୍ରକାରେ ସେଥିରେ ପ୍ରବେଶ କରିବ ନାହିଁ।”
Der Reiche, der nicht loslassen konnte
18ଜଣେ ଯିହୁଦୀ ଧର୍ମଗୁରୁ ତାହାଙ୍କୁ ପଚାରିଲେ, ହେ ସଦ୍ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କଅଣ କରିବି? 19ସେଥିରେ ଯୀଶୁ ତାହାଙ୍କୁ କହିଲେ, “ମୋତେ ସତ୍ ବୋଲି କାହିଁକି କହୁଅଛ? ଜଣଙ୍କ ବିନା, ଅର୍ଥାତ୍ ଈଶ୍ବରଙ୍କ ବିନା ଅନ୍ୟ କେହି ସତ୍ ନୁହେଁ। 20ଆଜ୍ଞାଗୁଡ଼ିକ ତ ତୁମ୍ଭେ ଜାଣ, ବ୍ୟଭିଚାର କର ନାହିଁ, ନରହତ୍ୟା କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, ଆପଣା ପିତାମାତାଙ୍କୁ ସମାଦର କର।” 21ସେ କହିଲେ, ଏହି ସମସ୍ତ ମୁଁ ଯୌବନକାଳରୁ ପାଳନ କରି ଆସିଅଛି। 22ଯୀଶୁ ଏହା ଶୁଣି ତାହାଙ୍କୁ କହିଲେ, “ତୁମ୍ଭର ଆଉ ଗୋଟିଏ ବିଷୟ ଉଣା ଅଛି; ତୁମ୍ଭେ ନିଜର ସବୁ ବିକି ଦେଇ ଗରିବମାନଙ୍କୁ ବାଣ୍ଟିଦିଅ, ଆଉ ତୁମ୍ଭେ ସ୍ୱର୍ଗରେ ଧନ ପାଇବ; ପୁଣି, ଆସି ମୋହର ଅନୁଗମନ କର।” 23କିନ୍ତୁ ସେ ଏହି ସମସ୍ତ କଥା ଶୁଣି ଅତ୍ୟନ୍ତ ଦୁଃଖିତ ହେଲେ, କାରଣ ସେ ଅତିଶୟ ଧନୀ ଥିଲେ। 24ସେଥିରେ ଯୀଶୁ ତାହାଙ୍କୁ ଦେଖି କହିଲେ, “ଯେଉଁମାନଙ୍କର ଧନ ଅଛି, ସେମାନେ କେଡ଼େ କଷ୍ଟରେ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରନ୍ତି!
25କାରଣ ଈଶ୍ବରଙ୍କ ରାଜ୍ୟରେ ଧନୀ ଲୋକର ପ୍ରବେଶ କରିବା ଅପେକ୍ଷା ବରଂ ଛୁଞ୍ଚିର ଛିଦ୍ର ଦେଇ ଓଟର ପ୍ରବେଶ କରିବା ସହଜ।” 26ଯେଉଁମାନେ ଏହା ଶୁଣିଲେ, ସେମାନେ କହିଲେ, ତେବେ କିଏ ପରିତ୍ରାଣ ପାଇ ପାରେ? 27କିନ୍ତୁ ସେ କହିଲେ, “ଯାହା ମଣିଷର ଅସମ୍ଭବ, ତାହା ଈଶ୍ବରଙ୍କର ସମ୍ଭବ।” 28ସେଥିରେ ପିତର କହିଲେ, ଦେଖନ୍ତୁ, ଆମ୍ଭେମାନେ ନିଜ ନିଜର ସବୁ କିଛି ଛାଡ଼ି ଆପଣଙ୍କ ଅନୁଗାମୀ ହୋଇଅଛୁ। 29ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଲୋକମାନେ ଈଶ୍ବରଙ୍କ ରାଜ୍ୟ ନିମନ୍ତେ ଗୃହ କିମ୍ବା ସ୍ତ୍ରୀ କିମ୍ବା ଭାଇ କିମ୍ବା ପିତାମାତା କିମ୍ବା ସନ୍ତାନସନ୍ତତି ପରିତ୍ୟାଗ କରିଅଛନ୍ତି 30ସେମାନେ ଇହକାଳରେ ବହୁଗୁଣରେ ଓ ପରକାଳରେ ଅନନ୍ତ ଜୀବନ ପାଇବେ।”
Jesus kündigt seinen Tod zum dritten Mal an
31ପରେ ଯୀଶୁ ବାର ଜଣ ଶିଷ୍ୟଙ୍କୁ ଏକତ୍ର କରି ସେମାନଙ୍କୁ କହିଲେ, “ଦେଖ, ଆମ୍ଭେମାନେ ଯିରୂଶାଲମ ସହରକୁ ଯାଉଅଛୁ, ଆଉ ଭାବବାଦୀମାନଙ୍କ ଦ୍ୱାରା ଯେଉଁ ସମସ୍ତ ବିଷୟ ଲେଖାଯାଇଅଛି, ସେ ସମସ୍ତ ମନୁଷ୍ୟପୁତ୍ରଙ୍କଠାରେ ସଫଳ ହେବ; 32କାରଣ ସେ ଅଣଯିହୁଦୀମାନଙ୍କ ହସ୍ତରେ ସମର୍ପିତ ହେବେ, ପୁଣି, ସେମାନେ ତାହାଙ୍କୁ ପରିହାସ କରିବେ, ତାହାଙ୍କ ପ୍ରତି ଅତ୍ୟାଚାର କରି ତାହାଙ୍କ ଉପରେ ଛେପ ପକାଇବେ, 33ତାହାଙ୍କୁ କୋରଡ଼ା ମାରି ବଧ କରିବେ, ଆଉ ତୃତୀୟ ଦିନରେ ସେ ପୁନର୍ବାର ଉଠିବେ।” 34କିନ୍ତୁ ଶିଷ୍ୟମାନେ ଏହିସବୁ ବିଷୟ କିଛି ବୁଝିଲେ ନାହିଁ; ଏହି ବାକ୍ୟ ସେମାନଙ୍କଠାରୁ ଗୁପ୍ତ ହୋଇ ରହିଲା, ପୁଣି, ଯାହା କୁହାଯାଉଥିଲା, ସେ ସବୁ ବୁଝୁ ନ ଥିଲେ।
Der blinde Bettler bei Jericho
35ସେ ଯିରୀହୋର ନିକଟବର୍ତ୍ତୀ ହେଉଥିବା ସମୟରେ ଜଣେ ଅନ୍ଧ ବାଟ ପାଖରେ ବସି ଭିକ ମାଗୁଥିଲା। 36ସେ ଲୋକମାନଙ୍କ ଯାଉଥିବାର ଶବ୍ଦ ଶୁଣି କଥା କଅଣ ବୋଲି ପଚାରିବାକୁ ଲାଗିଲା। 37ସେମାନେ ତାହାକୁ କହିଲେ, ନାଜରିତୀୟ ଯୀଶୁ ଏହି ବାଟ ଦେଇ ଯାଉଅଛନ୍ତି। 38ସେଥିରେ ସେ ଉଚ୍ଚସ୍ୱରରେ କହିଲେ, ହେ ଯୀଶୁ, ଦାଉଦଙ୍କ ସନ୍ତାନ, ମୋତେ ଦୟା କରନ୍ତୁ। 39ମାତ୍ର ଆଗରେ ଯାଉଥିବା ଲୋକମାନେ ତାହାଙ୍କୁ ତୁନି ହେବା ପାଇଁ ଧମକ ଦେବାକୁ ଲାଗିଲେ, କିନ୍ତୁ ସେ ଆହୁରି ଅଧିକ ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ଦାଉଦଙ୍କ ସନ୍ତାନ ମୋତେ ଦୟା କରନ୍ତୁ। 40ସେଥିରେ ଯୀଶୁ ଠିଆ ହୋଇ ଅନ୍ଧକୁ ଆପଣା ନିକଟକୁ ଆଣିବା ପାଇଁ ଆଦେଶ ଦେଲେ; ଯେତେବେଳେ ଅନ୍ଧଟି ପାଖକୁ ଆସିଲା, ଯୀଶୁ ତାହାକୁ ପଚାରିଲେ, 41“ମୁଁ ତୁମ୍ଭ ପାଇଁ କଅଣ କରିବି ବୋଲି ତୁମ୍ଭେ ଇଚ୍ଛା କରୁଅଛ?” ଅନ୍ଧ କହିଲା, ହେ ପ୍ରଭୁ, ମୁଁ ଯେପରି ଦେଖି ପାରିବି। 42ଯୀଶୁ ତାହାକୁ କହିଲେ, “ଦୃଷ୍ଟି ପାଅ; ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି।”
43ସେହିକ୍ଷଣି ସେ ଦେଖି ପାରିଲେ ଏବଂ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁ କରୁ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲେ ଏବଂ ଲୋକ ସମସ୍ତେ ତାହା ଦେଖି ଈଶ୍ବରଙ୍କ ପ୍ରଶଂସା କଲେ।