2 Könige 13
Joahas regiert in Israel
1ଯିହୁଦାର ଅହସୀୟ ରାଜାଙ୍କର ପୁତ୍ର ଯୋୟାଶ୍ଙ୍କ ରାଜତ୍ଵର ତେଇଶ ବର୍ଷରେ ଯେହୂଙ୍କର ପୁତ୍ର ଯିହୋୟାହସ୍ ଶମରୀୟାରେ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରି ସତର ବର୍ଷ ରାଜ୍ୟ କଲେ। 2ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ, ପୁଣି ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପାପର ଅନୁଗାମୀ ହେଲେ; ଯିହୋୟାହସ୍ ତହିଁରୁ ବିମୁଖ ହେଲେ ନାହିଁ। 3ଏଥିରେ ସଦାପ୍ରଭୁଙ୍କ କ୍ରୋଧ ଇସ୍ରାଏଲ ବିରୁଦ୍ଧରେ ପ୍ରଜ୍ୱଳିତ ହୁଅନ୍ତେ; ସେ ଅରାମର ରାଜା ହସାୟେଲ ହସ୍ତରେ ଓ ହସାୟେଲର ପୁତ୍ର ବିନ୍ହଦଦ୍ ହସ୍ତରେ ସେମାନଙ୍କୁ ନିତ୍ୟ ସମର୍ପଣ କଲେ। 4ପୁଣି ଯିହୋୟାହସ୍ ସଦାପ୍ରଭୁଙ୍କ ନିକଟରେ ନିବେଦନ କରନ୍ତେ, ସଦାପ୍ରଭୁ ତାଙ୍କ ପ୍ରତି ମନୋଯୋଗ କଲେ; କାରଣ ଅରାମର ରାଜା ଇସ୍ରାଏଲ ପ୍ରତି କିପରି ଅତ୍ୟାଚାର କଲା, ସେମାନଙ୍କର ସେହି ଅତ୍ୟାଚାର ସେ ଦେଖିଲେ। 5ଯେହେତୁ ଅରାମର ରାଜା ଲୋକମାନଙ୍କ ମଧ୍ୟରୁ କେବଳ ପଚାଶ ଜଣ ଅଶ୍ୱାରୂଢ଼ ଓ ଦଶ ରଥ ଓ ଦଶ ସହସ୍ର ପଦାତିକ ଛଡ଼ା ଯିହୋୟାହସ୍ ନିମନ୍ତେ ଆଉ କାହାକୁ ଅବଶିଷ୍ଟ ନ ରଖି ସେମାନଙ୍କୁ ବିନଷ୍ଟ ଓ ମର୍ଦ୍ଦିତ ଧୂଳି ତୁଲ୍ୟ କରିଥିଲା। 6ଏଣୁ ସଦାପ୍ରଭୁ ଇସ୍ରାଏଲକୁ ଏକ ଉଦ୍ଧାରକର୍ତ୍ତା ଦେଲେ, ତହିଁରେ ସେମାନେ ଅରାମୀୟମାନଙ୍କ ହସ୍ତାଧୀନରୁ ବାହାରିଗଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ପୂର୍ବ ପରି ଆପଣା ଆପଣା ତମ୍ବୁରେ ବାସ କଲେ। 7ତଥାପି ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ବଂଶର ସେହି ସବୁ ପାପରୁ ସେମାନେ ବିମୁଖ ହେଲେ ନାହିଁ, ମାତ୍ର ତହିଁରେ ହିଁ ଚାଲିଲେ। ପୁଣି ଶମରୀୟାରେ ଆଶେରା ମୂର୍ତ୍ତି ମଧ୍ୟ ରହିଲା। 8ଏହି ଯିହୋୟାହସ୍ଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଓ ତାଙ୍କର ପରାକ୍ରମ କʼଣ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
9ଏଥିଉତ୍ତାରେ ଯିହୋୟାହସ୍ଙ୍କ ମୃତ୍ୟୁ ପରେ, ଲୋକମାନେ ତାଙ୍କୁ ଶମରୀୟାରେ କବର ଦେଲେ, ପୁଣି ତାଙ୍କର ପୁତ୍ର ଯୋୟାଶ୍ ତାଙ୍କର ପଦରେ ରାଜ୍ୟ କଲେ।
Joasch regiert in Israel
10ଯିହୁଦାର ଯୋୟାଶ୍ ରାଜାଙ୍କ ରାଜତ୍ଵର ସଇଁତିରିଶ ବର୍ଷରେ ଯିହୋୟାହସ୍ଙ୍କ ପୁତ୍ର ଯୋୟାଶ୍ ଇସ୍ରାଏଲ ଉପରେ ଶମରୀୟାରେ ରାଜତ୍ୱ କରିବାକୁ ଆରମ୍ଭ କରି ଷୋଳ ବର୍ଷ ରାଜ୍ୟ କଲେ। 11ଆଉ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ବିମୁଖ ହେଲେ ନାହିଁ ମାତ୍ର ସେ ତହିଁରେ ହିଁ ଚାଲିଲେ। 12ଏହି ଯୋୟାଶ୍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଓ ଯେଉଁ ପରାକ୍ରମରେ ସେ ଯିହୁଦାର ରାଜା ଅମତ୍ସୀୟ ସଙ୍ଗେ ଯୁଦ୍ଧ କଲେ, ତାହାସବୁ କʼଣ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
13ଏଥିଉତ୍ତାରେ ଯୋୟାଶ୍ ମୃତ୍ୟୁବରଣ କଲେ। ତହିଁରେ ଯାରବୀୟାମ ତାଙ୍କ ସିଂହାସନରେ ଉପବିଷ୍ଟ ହେଲେ, ପୁଣି ଯୋୟାଶ୍ ଇସ୍ରାଏଲ ରାଜାମାନଙ୍କ ସହିତ ଶମରୀୟାରେ କବରପ୍ରାପ୍ତ ହେଲେ।
Die letzten Pfeile Elischas
14ଇଲୀଶାୟ ଯେଉଁ ପୀଡ଼ାରେ ମଲେ, ସେହି ପୀଡ଼ାରେ ପୀଡ଼ିତ ହୁଅନ୍ତେ, ଇସ୍ରାଏଲର ରାଜା ଯୋୟାଶ୍ ତାଙ୍କ ନିକଟକୁ ଆସି ତାଙ୍କ ଉପରେ ରୋଦନ କରି କହିଲେ, “ହେ ଆମ୍ଭ ପିତଃ, ହେ ଆମ୍ଭ ପିତଃ, ହେ ଇସ୍ରାଏଲର ରଥ ଓ ତହିଁର ଅଶ୍ୱାରୋହୀଗଣ!” 15ଏଥିରେ ଇଲୀଶାୟ ତାଙ୍କୁ କହିଲେ, “ଧନୁ ଓ ତୀର ଧର,” ତହୁଁ ସେ ଧନୁ ଓ ତୀର ଧରିଲେ। 16ତେବେ ଇଲୀଶାୟ ଇସ୍ରାଏଲର ରାଜାଙ୍କୁ କହିଲେ, “ଧନୁ ଉପରେ ତୁମ୍ଭ ହାତ ଦିଅ,” ତହୁଁ ସେ ତହିଁ ଉପରେ ହାତ ଦେଲେ। ସେତେବେଳେ ଇଲୀଶାୟ ରାଜାଙ୍କ ହସ୍ତ ଉପରେ ଆପଣା ହସ୍ତ ରଖିଲେ। 17ଆଉ ଇଲୀଶାୟ କହିଲେ, “ପୂର୍ବଆଡ଼ ଝରକା ଫିଟାଅ,” ତହିଁରେ ସେ ତାହା ଫିଟାଇଲେ। ତେବେ ଇଲୀଶାୟ କହିଲେ, “ତୀର ମାର,” ତହିଁରେ ସେ ତୀର ମାରିଲେ। ଏଥିରେ ଇଲୀଶାୟ କହିଲେ, “ସଦାପ୍ରଭୁଙ୍କର ଜୟତୀର, ଅରାମର ବିପକ୍ଷ ଜୟତୀର, କାରଣ ତୁମ୍ଭେ ଅଫେକରେ ଅରାମୀୟମାନଙ୍କୁ ନିଃଶେଷ କରିବା ପର୍ଯ୍ୟନ୍ତ ସେମାନଙ୍କୁ ସଂହାର କରିବ।” 18ଆହୁରି ସେ କହିଲେ, “ତୀରସବୁ ନିଅ,” ତହିଁରେ ସେ ତାହାସବୁ ନେଲେ। ତହୁଁ ସେ ଇସ୍ରାଏଲର ରାଜାଙ୍କୁ କହିଲେ, “ଭୂମିକୁ ଆଘାତ କର,” ତହିଁରେ ସେ ତିନି ଥର ଆଘାତ କରି ନିବୃତ୍ତ ହେଲେ। 19ଏଥିରେ ପରମେଶ୍ୱରଙ୍କ ଲୋକ ତାଙ୍କ ପ୍ରତି କ୍ରୁଦ୍ଧ ହୋଇ କହିଲେ, “ତୁମ୍ଭେ ତ ପାଞ୍ଚ କି ଛଅ ଥର ଆଘାତ କରିଥାʼନ୍ତ; ତାହା କରିଥିଲେ, ତୁମ୍ଭେ ଅରାମକୁ ନିଃଶେଷ କରିବା ପର୍ଯ୍ୟନ୍ତ ଆଘାତ କରିଥାʼନ୍ତ; ମାତ୍ର ଏବେ ତୁମ୍ଭେ କେବଳ ତିନି ଥର ଅରାମକୁ ଆଘାତ କରିବ।” 20ଏଥିଉତ୍ତାରେ ଇଲୀଶାୟଙ୍କ ମୃତ୍ୟୁୁ ହୁଅନ୍ତେ, ଲୋକମାନେ ତାଙ୍କୁ କବର ଦେଲେ। ସେତେବେଳେ ମୋୟାବୀୟ ଲୁଟକାରୀ ଦଳ ବର୍ଷର ଆରମ୍ଭରେ ଦେଶ ଆକ୍ରମଣ କଲେ। 21ସେସମୟରେ ଲୋକମାନେ ଜଣେ ମନୁଷ୍ୟକୁ କବର ଦେବା ବେଳେ ଏପରି ଘଟିଲା ଯେ, ଦେଖ, ସେମାନେ ଏକ ଲୁଟକାରୀ ଦଳକୁ ଦୂରରୁ ଦେଖିଲେ। ତହିଁରେ ସେମାନେ ସେହି ମନୁଷ୍ୟକୁ ଇଲୀଶାୟଙ୍କର କବରରେ ପକାଇ ଦିଅନ୍ତେ, ସେ ମନୁଷ୍ୟ ଇଲୀଶାୟଙ୍କର ଅସ୍ଥି ସ୍ପର୍ଶ କରିବା ମାତ୍ରେ ସଜୀବ ହୋଇ ଆପଣା ଚରଣରେ ଠିଆ ହେଲା।
22ଯିହୋୟାହସ୍ଙ୍କ ଅଧିକାରର ସମସ୍ତ କାଳ ଅରାମର ରାଜା ହସାୟେଲ ଇସ୍ରାଏଲ ପ୍ରତି ଅତ୍ୟାଚାର କଲା। 23ମାତ୍ର ସଦାପ୍ରଭୁ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ସହିତ ଆପଣା କୃତ ନିୟମ ସକାଶୁ ସେମାନଙ୍କ ପ୍ରତି ଅନୁଗ୍ରହ କଲେ ଓ ସେମାନଙ୍କ ଉପରେ ଦୟା ବହି ସେମାନଙ୍କ ପ୍ରତି ସୁଦୃଷ୍ଟି କଲେ, ଆଉ ସେମାନଙ୍କୁ ବିନାଶ କରିବାକୁ ଅସମ୍ମତ ହେଲେ ଓ ଏପର୍ଯ୍ୟନ୍ତ ଆପଣା ସମ୍ମୁଖରୁ ସେମାନଙ୍କୁ ଦୂର କଲେ ନାହିଁ। 24ଏଥିଉତ୍ତାରେ ଅରାମର ରାଜା ହସାୟେଲ ମଲା; ତହୁଁ ତାହାର ପୁତ୍ର ବିନ୍ହଦଦ୍ ତାହାର ପଦରେ ରାଜ୍ୟ କଲା। 25ପୁଣି ଯୋୟାଶ୍ଙ୍କର ପିତା ଯିହୋୟାହାସ୍ଙ୍କଠାରୁ ହସାୟେଲ ଯେ ଯେ ନଗର ଯୁଦ୍ଧରେ ନେଇଥିଲା, ସେହି ସକଳ ନଗର ଯିହୋୟାହସ୍ଙ୍କ ପୁତ୍ର ଯୋୟାଶ୍ ହସାୟେଲର ପୁତ୍ର ବିନ୍ହଦଦ୍ଠାରୁ ପୁନର୍ବାର ନେଲେ। ଯୋୟାଶ୍ ତାହାକୁ ତିନି ଥର ଆଘାତ କରି ଇସ୍ରାଏଲର ସେହି ସକଳ ନଗର ପୁନର୍ବାର ନେଲେ।