잠언 2
지혜를 감추어진 보배같이 찾으라
1ହେ ମୋହର ପୁତ୍ର, ତୁମ୍ଭେ ଯଦି ମୋʼ କଥା ଗ୍ରହଣ କର ଓ ମୋʼ ଆଜ୍ଞାସବୁ ମନରେ ରଖ; 2ଯଦି ଜ୍ଞାନ ଆଡ଼କୁ ତୁମ୍ଭ କର୍ଣ୍ଣ ଡେର ଓ ବୁଦ୍ଧିରେ ମନୋନିବେଶ କର; 3ହଁ, ଯଦି ତୁମ୍ଭେ ସୁବିବେଚନା ପ୍ରତି ଡାକ ପକାଅ ଓ ବୁଦ୍ଧି ନିମନ୍ତେ ଉଚ୍ଚସ୍ୱର କର; 4ଯଦି ରୂପା ନ୍ୟାୟ ତାକୁ ଖୋଜ ଓ ପୋତା-ଧନ ପରି ତାହାର ଅନ୍ୱେଷଣ କର; 5ତେବେ ତୁମ୍ଭେ ସଦାପ୍ରଭୁଙ୍କ ବିଷୟକ ଭୟ ବୁଝିବ ଓ ପରମେଶ୍ୱରଙ୍କ ବିଷୟକ ତତ୍ତ୍ୱଜ୍ଞାନ ପାଇବ। 6ଯେହେତୁ ସଦାପ୍ରଭୁ ଜ୍ଞାନ ଦିଅନ୍ତି, ତାହାଙ୍କ ମୁଖରୁ ଜ୍ଞାନ ଓ ବୁଦ୍ଧି ନିର୍ଗତ ହୁଏ। 7ସେ ସତ୍ ଲୋକଙ୍କ ନିମନ୍ତେ ତତ୍ତ୍ୱଜ୍ଞାନ ସଞ୍ଚୟ କରନ୍ତି, ସେ ସରଳାଚାରୀମାନଙ୍କର ଢାଲ ସ୍ୱରୂପ ଅଟନ୍ତି। 8ଯେପରିକି ସେ ନ୍ୟାୟର ପଥ ରକ୍ଷା କରି ପାରିବେ ଓ ଆପଣା ସାଧୁମାନଙ୍କ ଗତି ସମ୍ଭାଳିବେ।
9ତହୁଁ ତୁମ୍ଭେ ଧାର୍ମିକତା, ସୁବିଚାର, ନ୍ୟାୟ ଓ ମଙ୍ଗଳର ସମସ୍ତ ପଥ ଜାଣିବ। 10କାରଣ ଜ୍ଞାନ ତୁମ୍ଭ ହୃଦୟରେ ପ୍ରବେଶ କରିବ, ପୁଣି, ବିଦ୍ୟା ତୁମ୍ଭ ପ୍ରାଣର ତୁଷ୍ଟିକର ହେବ; 11ପରିଣାମଦର୍ଶିତା ତୁମ୍ଭ ଉପରେ ପ୍ରହରୀ ହେବ, ବୁଦ୍ଧି ତୁମ୍ଭକୁ ରକ୍ଷା କରିବ। 12ତହିଁରେ ଯେଉଁମାନେ ଅବାଧ୍ୟ କଥା କହନ୍ତି, 13ଯେଉଁମାନେ ଅନ୍ଧକାରମୟ ପଥରେ ଗତାୟାତ କରିବା ନିମନ୍ତେ ସରଳ ମାର୍ଗ ପରିତ୍ୟାଗ କରନ୍ତି; 14ଯେଉଁମାନେ କୁକ୍ରିୟା କରିବାକୁ ହୃଷ୍ଟ ଓ ଦୁଷ୍ଟମାନଙ୍କ ଅବାଧ୍ୟତାରେ ଅନୁରକ୍ତ; 15ଯେଉଁମାନେ ଆପଣା ଆପଣା ମାର୍ଗରେ କୁଟିଳ ଓ ଆପଣା ଆପଣା ପଥରେ ବକ୍ରଗାମୀ, ଏପରି କୁକର୍ମକାରୀମାନଙ୍କ ପଥରୁ ତୁମ୍ଭର ଉଦ୍ଧାର ହେବ। 16ଆଉ, ଯେଉଁ ପରସ୍ତ୍ରୀ ଚାଟୁବାଦିନୀ, ଯେ ଆପଣା ଯୌବନ କାଳର ମିତ୍ରକୁ ତ୍ୟାଗ କରି ଆପଣା ପରମେଶ୍ୱରଙ୍କ ନିୟମ ପାସୋରେ,
17ଯାହାର ଗୃହ ମୃତ୍ୟୁୁ ଆଡ଼େ 18ଓ ଯାହାର ପଥ ପରଲୋକ ଆଡ଼େ ଯାଏ, ଯାହା ନିକଟକୁ ଗମନ କଲେ କେହି ଫେରି ଆସେ ନାହିଁ ଓ ଜୀବନର ପଥ ଆଉ ଧରେ ନାହିଁ, 19ଏପରି ପରସ୍ତ୍ରୀଠାରୁ ତୁମ୍ଭର ଉଦ୍ଧାର ହେବ। 20ଏନିମନ୍ତେ ତୁମ୍ଭେ ସତ୍ଲୋକମାନଙ୍କ ମାର୍ଗରେ ଗମନ କର ଓ ଧାର୍ମିକମାନଙ୍କ ପଥ ଅବଲମ୍ବନ କର, 21ଯେହେତୁ ସରଳ ଲୋକମାନେ ଦେଶରେ ବାସ କରିବେ, ପୁଣି, ସିଦ୍ଧ ଲୋକମାନେ ତହିଁରେ ସୁସ୍ଥିର ରହିବେ। 22ମାତ୍ର ଦୁଷ୍ଟଗଣ ଦେଶରୁ ଉଚ୍ଛିନ୍ନ ହେବେ ଓ ବିଶ୍ୱାସଘାତକମାନେ ତହିଁରୁ ଉତ୍ପାଟିତ ହେବେ।