신명기 3
옥을 물리치다
1ଏଉତ୍ତାରେ ଆମ୍ଭେମାନେ ଫେରି ବାଶନର ପଥ ଦେଇ ଗମନ କଲୁ; ତହିଁରେ ବାଶନର ରାଜା ଓଗ୍ ଅାସି ଅାକ୍ରମଣ କଲେ, ପୁଣି ସେ ଓ ତାହାର ସମସ୍ତ ପ୍ରଜା ଆମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରି ଇଦ୍ରିୟୀକୁ ଆସିଲେ। 2ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ତାହାକୁ ଭୟ କର ନାହିଁ; କାରଣ ଆମ୍ଭେ ତାହାକୁ ଓ ତାହାର ସମସ୍ତ ପ୍ରଜାଙ୍କୁ ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କରିଅଛୁ; ତୁମ୍ଭେ ଯେପରି ହିଷ୍ବୋନ ନିବାସୀ ଇମୋରୀୟମାନଙ୍କ ରାଜା ସୀହୋନ ପ୍ରତି କରିଅଛ, ସେପରି ତାହା ପ୍ରତି ମଧ୍ୟ କରିବ।” 3ଏହିରୂପେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ମଧ୍ୟ ବାଶନ-ରାଜା ଓଗ୍କୁ ଓ ତାହାର ସମସ୍ତ ପ୍ରଜାଙ୍କୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କଲେ; ତହିଁରେ ଆମ୍ଭେମାନେ ତାହାକୁ ଏପରି ପରାଜୟ କଲୁ ଯେ, ତାହାର କେହି ଅବଶିଷ୍ଟ ରହିଲା ନାହିଁ। 4ସେସମୟରେ ଆମ୍ଭେମାନେ ତାହାର ସମସ୍ତ ନଗର ହସ୍ତଗତ କଲୁ, ସେମାନଙ୍କଠାରୁ ଯାହା ହସ୍ତଗତ ନ କଲୁ, ଏପରି ଗୋଟିଏ ନଗର ରହିଲା ନାହିଁ; ଷାଠିଏ ନଗର, ଅର୍ଗୋବର ସମସ୍ତ ଅଞ୍ଚଳ, ଅର୍ଥାତ୍, ବାଶନସ୍ଥ ଓଗ୍ର ରାଜ୍ୟ (ହସ୍ତଗତ କଲୁ)। 5ସେହି ସବୁ ନଗର ଉଚ୍ଚ ପ୍ରାଚୀର ଓ ଦ୍ୱାର ଓ ଅର୍ଗଳରେ ସୁରକ୍ଷିତ ଥିଲା; ତାହା ଛଡ଼ା ଅନେକ ପ୍ରାଚୀରହୀନ ନଗର ଥିଲା। 6ଆମ୍ଭେମାନେ ହିଷ୍ବୋନ-ରାଜା ସୀହୋନ ପ୍ରତି ଯେରୂପ କରିଥିଲୁ, ସେରୂପ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କଲୁ, ସ୍ତ୍ରୀ ଓ ବାଳକ ସମେତ ପ୍ରତ୍ୟେକ ବସତି-ନଗର ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କଲୁ। 7ମାତ୍ର ଆମ୍ଭେମାନେ ସମସ୍ତ ପଶୁ ଓ ନଗରର ଲୁଟିତ ଦ୍ରବ୍ୟାଦି ଆପଣାମାନଙ୍କ ନିମନ୍ତେ ଲୁଟ ସ୍ୱରୂପେ ଗ୍ରହଣ କଲୁ। 8ସେହି ସମୟରେ ଆମ୍ଭେମାନେ ଯର୍ଦ୍ଦନର ପୂର୍ବପାରିସ୍ଥ ଇମୋରୀୟମାନଙ୍କ ଦୁଇ ରାଜାଙ୍କର ହସ୍ତରୁ ଅର୍ଣ୍ଣୋନ-ଉପତ୍ୟକାଠାରୁ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ସମସ୍ତ ଦେଶ ହସ୍ତଗତ କଲୁ।
9(ସୀଦୋନୀୟମାନେ ସେହି ହର୍ମୋଣ ପର୍ବତକୁ ସିରିୟୋନ କହନ୍ତି ଓ ଇମୋରୀୟମାନେ ତାହାକୁ ସନୀର୍ କହନ୍ତି)। 10ଆମ୍ଭେମାନେ ସମଭୂମିର ସମସ୍ତ ନଗର ଓ ସଲଖା ଓ ଇଦ୍ରିୟୀ ପର୍ଯ୍ୟନ୍ତ ସମସ୍ତ ଗିଲୀୟଦ ଓ ସମସ୍ତ ବାଶନ, ଅର୍ଥାତ୍, ବାଶନସ୍ଥିତ ଓଗ୍ ରାଜ୍ୟର ସମସ୍ତ ନଗର ହସ୍ତଗତ କଲୁ। 11(ଅବଶିଷ୍ଟ ରଫାୟୀୟମାନଙ୍କ ମଧ୍ୟରୁ କେବଳ ବାଶନ-ରାଜା ଓଗ୍ ଅବଶିଷ୍ଟ ରହିଲା, ଦେଖ, ତାହାର ଖଟ ଲୌହମୟ ଖଟ; ତାହା କି ଅମ୍ମୋନ-ସନ୍ତାନଗଣର ରବ୍ବାରେ ନାହିଁ? ମନୁଷ୍ୟ ହସ୍ତର ପରିମାଣାନୁସାରେ ତାହା ଲମ୍ବାରେ ନଅ ହାତ ଓ ଓସାରରେ ଚାରି ହାତ)।
요단 동편의 땅
12ଏହି ସମୟରେ ଆମ୍ଭେମାନେ ଅର୍ଣ୍ଣୋନ-ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ସେହି ସମସ୍ତ ଦେଶ ଅଧିକାର କଲୁ; ତହିଁରେ ମୁଁ ଗିଲୀୟଦର ପର୍ବତମୟ ଦେଶର ଅର୍ଦ୍ଧେକ ଓ ତହିଁର ନଗରସବୁ ରୁବେନୀୟମାନଙ୍କୁ ଓ ଗାଦୀୟମାନଙ୍କୁ ଦେଲି। 13ପୁଣି ମୁଁ ଗିଲୀୟଦର ଅବଶିଷ୍ଟ ଅଂଶ ଓ ସମସ୍ତ ବାଶନ, ଅର୍ଥାତ୍, ଓଗ୍ର ରାଜ୍ୟ, ବିଶେଷରେ ସମୁଦାୟ ବାଶନ ସହିତ ଅର୍ଗୋବର ସମସ୍ତ ଅଞ୍ଚଳ ମନଃଶିର ଅର୍ଦ୍ଧ ବଂଶକୁ ଦେଲି (ତାହା ରଫାୟୀୟ ଦେଶ ବୋଲି ବିଖ୍ୟାତ। 14ମନଃଶିର ପୁତ୍ର ଯାୟୀର, ଗଶୂରୀୟ ଓ ମାଖାଥୀୟ ସୀମା ପର୍ଯ୍ୟନ୍ତ ଅର୍ଗୋବର ସମସ୍ତ ଅଞ୍ଚଳ ହସ୍ତଗତ କରି ଆପଣା ନାମାନୁସାରେ ଆଜି ପର୍ଯ୍ୟନ୍ତ ବାଶନ ଦେଶର ସେହି ସମସ୍ତ ସ୍ଥାନର ନାମ ହବୋତ୍-ଯାୟୀର ରଖିଲା)। 15ପୁଣି ମୁଁ ମାଖୀରକୁ ଗିଲୀୟଦ ଦେଲି। 16ଆଉ ଗିଲୀୟଦଠାରୁ ଅର୍ଣ୍ଣୋନ-ଉପତ୍ୟକା, ଅର୍ଥାତ୍, ଉପତ୍ୟକାର ମଧ୍ୟସ୍ଥାନ ଓ ତହିଁର ସୀମା ସମେତ, ପୁଣି ସେହିଠାରୁ ଅମ୍ମୋନ-ସନ୍ତାନଗଣର ସୀମା ଯବ୍ବୋକ୍ ନଦୀ ପର୍ଯ୍ୟନ୍ତ; 17ଆଉ କିନ୍ନେରତ୍ଠାରୁ ପାଦଭୂମିସ୍ଥ ସମୁଦ୍ର, ଅର୍ଥାତ୍, ପିସ୍ଗାର ଅଧଃସ୍ଥିତ ଲବଣ ସମୁଦ୍ର ପର୍ଯ୍ୟନ୍ତ ପୂର୍ବ ଦିଗବର୍ତ୍ତୀ ପଦାଭୂମି ଓ ଯର୍ଦ୍ଦନ ଓ ତହିଁର ଅଞ୍ଚଳ ରୁବେନୀୟ ଓ ଗାଦୀୟ ଲୋକମାନଙ୍କୁ ଦେଲି। 18ଏଥିଉତ୍ତାରେ ମୁଁ ସେହି ସମୟରେ ତୁମ୍ଭମାନଙ୍କୁ ଆଜ୍ଞା ଦେଇ କହିଲି, “ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭମାନଙ୍କୁ ଏହି ଦେଶ ଦେଇଅଛନ୍ତି; ତୁମ୍ଭମାନଙ୍କ ମଧ୍ୟରୁ ସମସ୍ତ ବୀରପୁରୁଷ ସସଜ୍ଜ ହୋଇ ତୁମ୍ଭମାନଙ୍କ ଭ୍ରାତୃଗଣ ଇସ୍ରାଏଲ ସନ୍ତାନମାନଙ୍କ ସମ୍ମୁଖରେ ପାର ହୋଇଯିବେ। 19ମାତ୍ର ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ନଗର ଦେଇଅଛି, ସେହି ସବୁ ନଗରରେ ତୁମ୍ଭମାନଙ୍କ ଭାର୍ଯ୍ୟା ଓ ବାଳକଗଣ ଓ ପଶୁମାନେ ବାସ କରିବେ; କାରଣ ମୁଁ ଜାଣେ, ତୁମ୍ଭମାନଙ୍କର ଅନେକ ପଶୁ ଅଛି।
20ଏଉତ୍ତାରେ ସଦାପ୍ରଭୁ ତୁମ୍ଭମାନଙ୍କ ଭ୍ରାତୃଗଣକୁ ତୁମ୍ଭମାନଙ୍କ ତୁଲ୍ୟ ବିଶ୍ରାମ ଦେଲେ ଓ ଯର୍ଦ୍ଦନର ସେପାରିରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେଉଁ ଦେଶ ସେମାନଙ୍କୁ ଦେବେ, ସେମାନେ ମଧ୍ୟ ସେହି ଦେଶ ଅଧିକାର କଲେ ତୁମ୍ଭେମାନେ ପ୍ରତ୍ୟେକେ ମୋହର ଦତ୍ତ ଆପଣା ଆପଣା ଅଧିକାରକୁ ଫେରିଯିବ।” 21ଆଉ ମୁଁ ସେହି ସମୟରେ ଯିହୋଶୂୟଙ୍କୁ ଆଜ୍ଞା ଦେଇ କହିଲି, “ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଏହି ଦୁଇ ରାଜାଙ୍କ ପ୍ରତି ଯାହା କରିଅଛନ୍ତି, ତୁମ୍ଭେ ତାହା ସ୍ୱଚକ୍ଷୁରେ ଦେଖିଅଛ; ତୁମ୍ଭେ ପାର ହୋଇ ଯେଉଁ ଯେଉଁ ରାଜ୍ୟ ବିରୁଦ୍ଧରେ ଯାଉଅଛ, ସେସବୁ ରାଜ୍ୟ ପ୍ରତି ସଦାପ୍ରଭୁ ତଦ୍ରୂପ କରିବେ। 22ତୁମ୍ଭେମାନେ ସେମାନଙ୍କୁ ଭୟ କରିବ ନାହିଁ; କାରଣ ଯେ ତୁମ୍ଭମାନଙ୍କ ସପକ୍ଷରେ ଯୁଦ୍ଧ କରନ୍ତି, ସେହି ସଦାପ୍ରଭୁ ତ ତୁମ୍ଭମାନଙ୍କ ପରମେଶ୍ୱର ଅଟନ୍ତି।”
모세가 건너가지 못하리라
23ସେହି ସମୟରେ ମୁଁ ସଦାପ୍ରଭୁଙ୍କୁ ବିନତି କରି କହିଲି, 24“ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ଆପଣା ଦାସ ନିକଟରେ ଆପଣା ମହିମା ଓ ବଳବାନ ହସ୍ତ ପ୍ରକାଶ କରିବାକୁ ଆରମ୍ଭ କରିଅଛ; ତୁମ୍ଭର କ୍ରିୟା ତୁଲ୍ୟ ଓ ତୁମ୍ଭର ପରାକ୍ରାନ୍ତ କର୍ମ ତୁଲ୍ୟ ଯେ କରିପାରେ, ସ୍ୱର୍ଗରେ କି ମର୍ତ୍ତ୍ୟରେ ଏପରି ଆଉ କିଏ ଅଛି? 25ମୁଁ ବିନୟ କରୁଅଛି, ମୋତେ ସେପାରିକି ଯିବାକୁ ଓ ଯର୍ଦ୍ଦନର ସେପାରିସ୍ଥିତ ସେହି ଉତ୍ତମ ଦେଶ, ସେହି ରମଣୀୟ ପର୍ବତ ଓ ଲିବାନୋନ ଦେଖିବାକୁ ଦିଅ।” 26ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ସକାଶୁ ମୋʼ ଉପରେ କ୍ରୋଧ କଲେ ଓ ମୋʼ କଥା ଶୁଣିଲେ ନାହିଁ; ଆଉ ସଦାପ୍ରଭୁ ମୋତେ କହିଲେ, “ତୁମ୍ଭର ଯଥେଷ୍ଟ ହେଲାଣି ଏ ବିଷୟରେ ଆମ୍ଭକୁ ଆଉ କୁହ ନାହିଁ। 27ପିସ୍ଗାର ଶୃଙ୍ଗକୁ ଚଢ଼ି ଯାଅ, ଆଉ ପଶ୍ଚିମ ଓ ଉତ୍ତର ଓ ଦକ୍ଷିଣ ଓ ପୂର୍ବ ଆଡ଼େ ଅନାଇ ଦେଖ ଓ ଆପଣା ଚକ୍ଷୁରେ ତାହା ନିରୀକ୍ଷଣ କର; କାରଣ ତୁମ୍ଭେ ଏହି ଯର୍ଦ୍ଦନ ପାର ହେବ ନାହିଁ। 28ମାତ୍ର ଯିହୋଶୂୟକୁ ଆଜ୍ଞା ଦିଅ ଓ ତାହାକୁ ସାହସ ଦିଅ ଓ ତାହାକୁ ବଳବାନ କରାଅ; କାରଣ ସେ ଏହି ଲୋକମାନଙ୍କର ଆଗେ ଆଗେ ପାର ହୋଇଯିବ; ପୁଣି ତୁମ୍ଭେ ଯେଉଁ ଦେଶ ଦେଖିବ, ତାହା ସେ ସେମାନଙ୍କୁ ଅଧିକାର କରାଇବ।” 29ଏହିରୂପେ ଆମ୍ଭେମାନେ ବେଥ୍-ପିୟୋର ସମ୍ମୁଖସ୍ଥିତ ଉପତ୍ୟକାରେ ବାସ କଲୁ।