Jeremías 40
Jeremías es puesto en libertad
1ଯିରୂଶାଲମ ଓ ଯିହୁଦାର ଯେସମସ୍ତ ବନ୍ଦୀ ଲୋକ ବାବିଲକୁ ନିଆଯାଉଥିଲେ, ସେମାନଙ୍କ ମଧ୍ୟରୁ ଶୃଙ୍ଖଳାବଦ୍ଧ ଯିରିମୀୟଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ନେଇ ରାମା ନଗରରୁ ବିଦାୟ କଲା ଉତ୍ତାରେ ସଦାପ୍ରଭୁଙ୍କଠାରୁ ଯିରିମୀୟଙ୍କ ନିକଟରେ ଯେଉଁ ବାକ୍ୟ ଉପସ୍ଥିତ ହେଲା, ତହିଁର ବୃତ୍ତାନ୍ତ। 2ପ୍ରହରୀବର୍ଗର ସେନାପତି ଯିରିମୀୟଙ୍କୁ ନେଇ କହିଲା, “ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ସ୍ଥାନ ବିଷୟରେ ଏହି ଅମଙ୍ଗଳର କଥା କହିଥିଲେ: 3ଆଉ, ସଦାପ୍ରଭୁ ତାହା ଘଟାଇଅଛନ୍ତି ଓ ଯେପରି କହିଥିଲେ, ସେପରି କରିଅଛନ୍ତି; ତୁମ୍ଭେମାନେ ସଦାପ୍ରଭୁଙ୍କର କଥା ନ ମାନି ତାହାଙ୍କ ବିରୁଦ୍ଧରେ ପାପ କରିଅଛ, ଏଥିପାଇଁ ତୁମ୍ଭମାନଙ୍କ ପ୍ରତି ଏହା ଘଟିଅଛି। 4ଆଉ, ଏବେ ଦେଖ, ମୁଁ ଆଜି ତୁମ୍ଭ ହସ୍ତରେ ଥିବା ଶୃଙ୍ଖଳରୁ ତୁମ୍ଭକୁ ମୁକ୍ତ କଲି। ମୋʼ ସଙ୍ଗେ ବାବିଲକୁ ଯିବା ପାଇଁ ଯଦି ତୁମ୍ଭକୁ ଭଲ ଦିଶେ, ତେବେ ଆସ, ଆଉ ମୁଁ ଭଲ ରୂପେ ତୁମ୍ଭର ତତ୍ତ୍ୱାବଧାନ କରିବି; ମାତ୍ର ମୋʼ ସଙ୍ଗେ ବାବିଲକୁ ଯିବା ପାଇଁ ଯଦି ତୁମ୍ଭକୁ ଭଲ ନ ଦିଶେ, ତେବେ କ୍ଷାନ୍ତ ହୁଅ; ଦେଖ, ସମୁଦାୟ ଦେଶ ତୁମ୍ଭ ଆଗରେ ପଡ଼ିଛି; ଯେଉଁଠାକୁ ଯିବା ପାଇଁ ତୁମ୍ଭକୁ ଭଲ ଓ ଉପଯୁକ୍ତ ଦିଶେ, ସେଠାକୁ ଯାଅ।” 5ଯିରିମୀୟ ଫେରି ନ ଯାଉଣୁ ନବୂଷରଦନ୍ ତାଙ୍କୁ କହିଲା, “ତେବେ ତୁମ୍ଭେ ଶାଫନ୍ର ପୌତ୍ର ଅହୀକାମ୍ର ପୁତ୍ର ଗଦଲୀୟ ନିକଟକୁ ଫେରିଯାଅ, ବାବିଲର ରାଜା ତାହାକୁ ଯିହୁଦାର ନଗରସମୂହର ଉପରେ ଶାସନକର୍ତ୍ତା ପଦରେ ନିଯୁକ୍ତ କରିଅଛି, ଆଉ ତୁମ୍ଭେ ଲୋକମାନଙ୍କ ମଧ୍ୟରେ ତାହା ସଙ୍ଗେ ବାସ କର; ଅବା ଯେକୌଣସି ସ୍ଥାନକୁ ଯିବା ପାଇଁ ତୁମ୍ଭକୁ ଉପଯୁକ୍ତ ଦିଶେ, ସେ ସ୍ଥାନକୁ ଯାଅ।” ତହିଁରେ ପ୍ରହରୀବର୍ଗର ସେନାପତି ତାଙ୍କୁ ପାଥେୟ ଓ ପାରିତୋଷିକ ଦେଇ ବିଦାୟ କଲା। 6ତହିଁରେ ଯିରିମୀୟ ମିସ୍ପାକୁ ଅହୀକାମ୍ର ପୁତ୍ର ଗଦଲୀୟ ନିକଟକୁ ଯାଇ ଦେଶସ୍ଥ ଅବଶିଷ୍ଟ ଲୋକମାନଙ୍କ ମଧ୍ୟରେ ତାହା ସଙ୍ଗେ ବାସ କଲେ।
Gedalías gobierna la tierra
7ଏଥିଉତ୍ତାରେ ଅହୀକାମ୍ର ପୁତ୍ର ଗଦଲୀୟଙ୍କୁ ବାବିଲର ରାଜା ଦେଶର ଶାସନକର୍ତ୍ତା କରି ନିଯୁକ୍ତ କରିଅଛି ଓ ଯେଉଁମାନେ ବନ୍ଦୀ ହୋଇ ବାବିଲକୁ ନୀତ ହୋଇ ନାହାନ୍ତି, ଏପରି ସକଳ ପୁରୁଷ, ସ୍ତ୍ରୀ, ବାଳକ ଓ ବାଳିକା ଓ ଦେଶସ୍ଥ ଦରିଦ୍ରମାନଙ୍କର ଭାର ତାହା ହସ୍ତରେ ସମର୍ପଣ କରିଅଛି ବୋଲି ପଦାରେ ସ୍ଥିତ ସେନାପତିଗଣ ଓ ସେମାନଙ୍କର ଲୋକମାନେ ଶୁଣିଲେ। 8ତହିଁରେ ସେମାନେ, ଅର୍ଥାତ୍, ନଥନୀୟର ପୁତ୍ର ଇଶ୍ମାୟେଲ ଓ କାରେହର ପୁତ୍ର ଯୋହାନନ୍ ଓ ଯୋନାଥନ, ତନ୍ହୂମତର ପୁତ୍ର ସରାୟ ଓ ନଟୋଫାତୀୟ ଏଫର ପୁତ୍ରମାନେ ଆଉ ମାଖାଥୀୟର ପୁତ୍ର ଯାସନୀୟ, ଏମାନେ, ପୁଣି ଏମାନଙ୍କର ଲୋକମାନେ ମିସ୍ପାକୁ ଗଦଲୀୟ ନିକଟକୁ ଗଲେ। 9ପୁଣି, ଶାଫନ୍ର ପୌତ୍ର ଅହୀକାମ୍ର ପୁତ୍ର ଗଦଲୀୟ ସେମାନଙ୍କ ଓ ସେମାନଙ୍କ ଲୋକମାନଙ୍କ ନିକଟରେ ଶପଥ କରି କହିଲା, “ତୁମ୍ଭେମାନେ କଲ୍ଦୀୟମାନଙ୍କର ଦାସ ହେବା ପାଇଁ ଭୟ କର ନାହିଁ, ବାବିଲ ରାଜାର ଦାସ ହୋଇ ଦେଶରେ ବାସ କର, ତହିଁରେ ତୁମ୍ଭମାନଙ୍କର ମଙ୍ଗଳ ହେବ। 10ଦେଖ, ଯେଉଁ କଲ୍ଦୀୟମାନେ ଆମ୍ଭମାନଙ୍କ ନିକଟକୁ ଆସିବେ, ସେମାନଙ୍କ ସମ୍ମୁଖରେ ଠିଆ ହେବା ପାଇଁ ଆମ୍ଭେ ମିସ୍ପାରେ ବାସ କରିବା; ମାତ୍ର ତୁମ୍ଭେମାନେ ଦ୍ରାକ୍ଷାରସ, ଗ୍ରୀଷ୍ମକାଳୀନ ଫଳ ଓ ତୈଳ ସଞ୍ଚୟ କରି ଆପଣା ଆପଣା ପାତ୍ରରେ ରଖ, ଆଉ ତୁମ୍ଭମାନଙ୍କର ଯେସକଳ ନଗର ତୁମ୍ଭେମାନେ ହସ୍ତଗତ କରିଅଛ, ତହିଁରେ ବାସ କର।” 11ଆଉ, ମୋୟାବରେ ଓ ଅମ୍ମୋନ-ସନ୍ତାନଗଣ ମଧ୍ୟରେ, ଆଉ ଇଦୋମରେ ଓ ଅନ୍ୟାନ୍ୟ ସକଳ ଦେଶରେ ଯେଉଁ ଯିହୁଦୀୟମାନେ ଥିଲେ, ସେମାନେ ଯେତେବେଳେ ଶୁଣିଲେ ଯେ, ବାବିଲର ରାଜା ଯିହୁଦାର ଏକ ଅଂଶ ଲୋକ ଅବଶିଷ୍ଟ ରଖିଅଛି ଓ ଶାଫନ୍ର ପୌତ୍ର ଅହୀକାମ୍ର ପୁତ୍ର ଗଦଲୀୟଙ୍କୁ ସେମାନଙ୍କ ଉପରେ ନିଯୁକ୍ତ କରିଅଛି; 12ସେତେବେଳେ ସେହି ଯିହୁଦୀୟମାନେ ଯେ ଯେଉଁ ସ୍ଥାନକୁ ତାଡ଼ିତ ହୋଇଥିଲେ, ସେସକଳ ସ୍ଥାନରୁ ଫେରି ଯିହୁଦା ଦେଶକୁ ମିସ୍ପାରେ ଗଦଲୀୟ ନିକଟକୁ ଆସିଲେ, ଆଉ ପ୍ରଚୁର ଦ୍ରାକ୍ଷାରସ ଓ ଗ୍ରୀଷ୍ମକାଳୀନ ଫଳ ସଞ୍ଚୟ କଲେ।
Una advertencia que fue ignorada
13ଆହୁରି, କାରେହର ପୁତ୍ର ଯୋହାନନ୍ ଓ ପଦାରେ ଅବସ୍ଥିତ ସେନାପତିସକଳ ମିସ୍ପାରେ ଗଦଲୀୟ ନିକଟକୁ ଆସିଲେ, 14ଆଉ ତାହାକୁ କହିଲେ, “ଅମ୍ମୋନ-ସନ୍ତାନଗଣର ରାଜା ବାଲୀସ ଆପଣଙ୍କ ପ୍ରାଣ ନେବା ପାଇଁ ନଥନୀୟର ପୁତ୍ର ଇଶ୍ମାୟେଲକୁ ପଠାଇଅଛି ବୋଲି କି ଆପଣ ଜାଣନ୍ତି?” ମାତ୍ର ଅହୀକାମ୍ର ପୁତ୍ର ଗଦଲୀୟ ସେମାନଙ୍କ କଥାରେ ବିଶ୍ୱାସ କଲା ନାହିଁ। 15ତହିଁରେ କାରେହର ପୁତ୍ର ଯୋହାନନ୍ ମିସ୍ପାରେ ଗଦଲୀୟଙ୍କୁ ଗୋପନରେ କହିଲା, “ଆପଣଙ୍କର ଅନୁମତି ହେଲେ ମୁଁ ଯାଇ ନଥନୀୟର ପୁତ୍ର ଇଶ୍ମାୟେଲକୁ ବଧ କରିବି, ଆଉ କେହି ତାହା ଜାଣିବ ନାହିଁ; ସେ କାହିଁକି ଆପଣଙ୍କୁ ବଧ କରିବ ଓ ତଦ୍ଦ୍ୱାରା ଆପଣଙ୍କ ନିକଟରେ ସଂଗୃହୀତ ଯିହୁଦୀୟ ସମସ୍ତେ ଛିନ୍ନଭିନ୍ନ ହୋଇଯିବେ ଓ ଯିହୁଦାର ଅବଶିଷ୍ଟାଂଶ ବିନଷ୍ଟ ହେବ?” 16ମାତ୍ର ଅହୀକାମ୍ର ପୁତ୍ର ଗଦଲୀୟ କାରେହର ପୁତ୍ର ଯୋହାନନ୍କୁ କହିଲା, “ତୁମ୍ଭେ ଏ କାର୍ଯ୍ୟ କରିବ ନାହିଁ; କାରଣ ତୁମ୍ଭେ ଇଶ୍ମାୟେଲ ବିଷୟରେ ମିଥ୍ୟା କଥା କହୁଅଛ।”