2 Crónicas 19
Jehú reprende al rey
1ଏଉତ୍ତାରେ ଯିହୁଦାର ରାଜା ଯିହୋଶାଫଟ୍ ଯିରୂଶାଲମକୁ ଆପଣା ଗୃହକୁ କୁଶଳରେ ଫେରିଗଲେ। 2ପୁଣି ହନାନିର ପୁତ୍ର ଯେହୂ ଦର୍ଶକ ତାଙ୍କୁ ଭେଟିବାକୁ ବାହାରକୁ ଯାଇ ଯିହୋଶାଫଟ୍ ରାଜାଙ୍କୁ କହିଲା, “ଦୁଷ୍ଟମାନଙ୍କର ସାହାଯ୍ୟ କରିବା, ପୁଣି ଯେଉଁମାନେ ସଦାପ୍ରଭୁଙ୍କୁ ଘୃଣା କରନ୍ତି, ସେମାନଙ୍କୁ ପ୍ରେମ କରିବା କି ତୁମ୍ଭର କର୍ତ୍ତବ୍ୟ? ଏହି କାର୍ଯ୍ୟ ହେତୁ ସଦାପ୍ରଭୁଙ୍କଠାରୁ ତୁମ୍ଭ ଉପରେ କୋପ ଉପସ୍ଥିତ। 3ତଥାପି ତୁମ୍ଭେ ଯେ ଦେଶରୁ ଆଶେରା ମୂର୍ତ୍ତି ଦୂର କରିଦେଇଅଛ ଓ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଆପଣା ମନ ନିବେଶ କରିଅଛ, ଏଥିରେ ତୁମ୍ଭଠାରେ କୌଣସି କୌଣସି ସଦ୍ଭାବ ପ୍ରକାଶ ପାଇଅଛି।”
Jueces establecidos en la tierra
4ପୁଣି ଯିହୋଶାଫଟ୍ ଯିରୂଶାଲମରେ ବାସ କଲେ; ଆଉ ସେ ପୁନର୍ବାର ବେର୍ଶେବାଠାରୁ ଇଫ୍ରୟିମର ପର୍ବତମୟ ଦେଶ ପର୍ଯ୍ୟନ୍ତ ଲୋକମାନଙ୍କ ମଧ୍ୟରେ ଗତାୟାତ କରି ସଦାପ୍ରଭୁ ସେମାନଙ୍କ ପିତୃଗଣର ପରମେଶ୍ୱରଙ୍କ ପ୍ରତି ସେମାନଙ୍କୁ ଫେରାଇ ଆଣିଲେ। 5ଆଉ, ସେ ଦେଶର ସର୍ବତ୍ର ଯିହୁଦାର ପ୍ରାଚୀର-ବେଷ୍ଟିତ ନଗରସମୂହରେ ନଗରକୁ ନଗର ବିଚାରକର୍ତ୍ତାମାନଙ୍କୁ ନିଯୁକ୍ତ କଲେ। 6ଓ ସେହି ବିଚାରକର୍ତ୍ତାମାନଙ୍କୁ କହିଲେ, “ତୁମ୍ଭେମାନେ ଯାହା କର, ତାହା ବିବେଚନା କର; କାରଣ ତୁମ୍ଭେମାନେ ମନୁଷ୍ୟ ନିମନ୍ତେ ନୁହେଁ, ମାତ୍ର ସଦାପ୍ରଭୁଙ୍କ ନିମନ୍ତେ ବିଚାର କରୁଅଛ; ପୁଣି ବିଚାରରେ ସେ ତୁମ୍ଭର ସହାୟ ଅଟନ୍ତି। 7ଏହେତୁ ସଦାପ୍ରଭୁଙ୍କ ଭୟ ତୁମ୍ଭମାନଙ୍କ ଉପରେ ଅଧିଷ୍ଠିତ ହେଉ; ସାବଧାନ ହୋଇ ତାହା କର; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ଅଧର୍ମ କି ମୁଖାପେକ୍ଷା କି ଲାଞ୍ଚ ଗ୍ରହଣ କରିବାର ନାହିଁ।” 8ଆହୁରି, ଯିହୋଶାଫଟ୍ ଯିରୂଶାଲମରେ ସଦାପ୍ରଭୁଙ୍କ ପକ୍ଷରେ ବିଚାର ଓ ବିବାଦ ଭଞ୍ଜନ କରିବା ନିମନ୍ତେ, ଲେବୀୟମାନଙ୍କ ଓ ଯାଜକମାନଙ୍କ ଓ ଇସ୍ରାଏଲର ପିତୃବଂଶର ପ୍ରଧାନମାନଙ୍କ ମଧ୍ୟରୁ ଲୋକ ନିଯୁକ୍ତ କଲେ। ତହୁଁ ସେମାନେ ଯିରୂଶାଲମକୁ ଫେରିଗଲେ। 9ପୁଣି, ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ଭୟରେ ବିଶ୍ୱସ୍ତ ରୂପେ ଓ ସିଦ୍ଧ ଅନ୍ତଃକରଣରେ ଏହିପରି କର। 10ପୁଣି, ଆପଣା ଆପଣା ନଗରବାସୀ ତୁମ୍ଭମାନଙ୍କ ଭ୍ରାତୃଗଣ ଦ୍ୱାରା ରକ୍ତପାତ ଓ ରକ୍ତପାତ ମଧ୍ୟରେ, ବ୍ୟବସ୍ଥା ଓ ଆଜ୍ଞା, ବିଧି ଓ ଶାସନ ମଧ୍ୟରେ କୌଣସି ବିବାଦ କୌଣସି ସମୟରେ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲେ ଯେପରି ସେମାନେ ସଦାପ୍ରଭୁଙ୍କ ପ୍ରତି ଦୋଷୀ ନୋହିବେ, ଆଉ ତୁମ୍ଭମାନଙ୍କ ଓ ତୁମ୍ଭମାନଙ୍କ ଭ୍ରାତୃଗଣ ଉପରେ କୋପ ନ ବର୍ତ୍ତିବ, ଏଥିପାଇଁ ତୁମ୍ଭେମାନେ ସେମାନଙ୍କୁ ଚେତନା ଦେବ; ଏହା କଲେ, ତୁମ୍ଭେମାନେ ଦୋଷୀ ନୋହିବ। 11ଆଉ ଦେଖ, ସଦାପ୍ରଭୁଙ୍କ ସମସ୍ତ ବିଷୟରେ ପ୍ରଧାନ ଯାଜକ ଅମରୀୟ, ପୁଣି ରାଜାଙ୍କର ସମସ୍ତ ବିଷୟରେ ଇଶ୍ମାୟେଲର ପୁତ୍ର ଯିହୁଦା-ବଂଶାଧ୍ୟକ୍ଷ ସବଦୀୟ ତୁମ୍ଭମାନଙ୍କ ଉପରେ ନିଯୁକ୍ତ ଅଛନ୍ତି; ମଧ୍ୟ ଲେବୀୟମାନେ ତୁମ୍ଭମାନଙ୍କ ସମ୍ମୁଖରେ ଶାସନକର୍ତ୍ତା ହେବେ। ସାହସିକ ହୋଇ କର୍ମ କର ଓ ସଦାପ୍ରଭୁ ସୁଜନର ସହବର୍ତ୍ତୀ ହେଉନ୍ତୁ।”